(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗ ଧାଡି଼ର ସାମ୍ବାଦିକ ବୋଲି ପରିଚୟ ଦେଇ ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଅପହରଣ ପରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ଖଣି ଦୁର୍ନୀତିର ପର୍ଦ୍ଦାଫାଶ କରି ଫସାଇ ଦେବାକୁ ଧମକ ଦେଇ ଦୁଇ ଜଣ ବ୍ଯବସାୟଙ୍କୁ ଦୁଇ ଦିନ ବନ୍ଦୀ ରଖି ୨ ବ୍ୟବସାୟୀଙ୍କୁ ନିସ୍ତୁକ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କଲେ । ଏଭଳି ଏକ ଅଭିଯୋଗ ହୋଇଛି ରାଜଧାନୀ ଭୁବନେଶ୍ୱରର ନନ୍ଦନନକାନନ ଥାନାରେ।
ବ୍ୟବସାୟୀ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅପହରଣ ଅଭିଯୋଗରେ ପୁଲିସ୍ ତଦନ୍ତ କରି ଜଣେ ମହିଳା ସାମ୍ବାଦିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଏହି ଅଭିଯୁକ୍ତ ସାମ୍ବାଦିକା ଜଣକ ହେଲେ, ‘ଲାଇଭ୍ କଳିଙ୍ଗ’ ୱେବ୍ ପୋର୍ଟାଲର ପ୍ରିୟମ୍ବଦା ନାୟକ । ଏହି ଘଟଣାରେ ପୁଲିସ ଘଟଣାରେ ମହିଳା ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ୨ କର୍ମଚାରୀଙ୍କୁ ଅଟକ ରଖିଛି ।
ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ୱେବ୍ ପୋର୍ଟାଲର ସିଇଓ ରାଜ୍ କିନ୍ତୁ ଫେରାର୍ ଥିବା ଜଣାପଡିଛି। ଏହି ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବ୍ଯକ୍ତି ଜଣକ ହେଉଛନ୍ତି କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ । ସେ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରର ଖଣି ଅଞ୍ଚଳରୁ ଖଣିଜ ସମ୍ପଦ ପରିବହନ କରନ୍ତି । ଯୋଡ଼ା ବଡ଼ବିଲ୍ରୁ ସେମାନଙ୍କ ଟ୍ରକ ଯୋଗେ ମାଲ୍ ପାରାଦୀପ ବନ୍ଦର ଓ ଅନ୍ୟଆଡକୁ ପଠାଯାଏ ।
ମିଳିଥିବା ସୂଚନା ମୁତାବକ, ଦୁଇ ସପ୍ତାହେ ତଳେ ଗିରଫ ପ୍ରିୟମ୍ବଦା ପୂର୍ଣ୍ଣଚନ୍ଦ୍ରଙ୍କୁ ଫୋନ୍ କରି କହିଥିଲେ ଯେ , ମୁଁ ଜଣେ ରିପୋର୍ଟର । ଲାଇଭ୍ କଳିଙ୍ଗରୁ କଲ୍ କରାଯାଇଛି । ଆପଣଙ୍କ ପରିବହନରେ ଘୋଟାଲା ହୋଇଥିବା ନେଇ ଆମେ ଏକ ଷ୍ଟିଙ୍ଗ ଅପରେସନ କରିଥିଲୁ । ଆପଣଙ୍କ ବିରୋଧରେ ଆମ ପାଖରେ ଅନେକ ପ୍ରମାଣ ରହିଛି । ଆପଣଙ୍କ ସଂସ୍ଥା ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ଠକେଇ କରୁଛି । ଆପଣ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଆସି ଆମ ଅଫିସରେ ଦେଖା କରନ୍ତୁ । ନହେଲେ , ଆମେ ତୁମର ଏହି ଘୋଟାଲା ଖବରକୁ ଆମ ଚ୍ୟାନେଲରେ ପ୍ରସାରଣ କରିଦେବୁ । ପ୍ରିୟମ୍ବଦାଙ୍କ ଏଭଳି ଧମକପୂର୍ଣ୍ଣ ଫୋନ୍ କଲ୍ରେ ପୂର୍ଣ୍ଣଚନ୍ଦ୍ର ପୁରାପୁରି ଡରି ଯାଇଥିଲେ ।
ଏହାପରେ ୧୫ ତାରିଖ ଦିନ ପୂର୍ଣ୍ଣଚନ୍ଦ୍ର ତାଙ୍କ ବ୍ୟବସାୟୀ ସହଯୋଗୀଙ୍କ ସହ ଉକ୍ତ ୱେବ୍ ପୋର୍ଟାଲ ଅଫିସକୁ ଆସିଥିଲେ । ସେଠାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ୱେବ୍ପୋର୍ଟାଲ ମାଲିକ ରାଜ୍ ଓ ଅନ୍ୟ କର୍ମଚାରୀମାନେ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରି ଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଟଙ୍କା ଦେବାକୁ ମନା କରିଦେଇଥିଲେ । ଟଙ୍କା ଦେବାକୁ ମନା କରିବାରୁ ରାଜ୍ ରାଗିଯାଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଏକ ରୁମ୍ରେ ବନ୍ଦ କରି ଦେଇଥିଲେ । ଏମତି ୨ ଦିନ ଧରି ବନ୍ଦୀ କରି ରଖି ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ସହଯୋଗୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଲୁହା ରଡ଼, କାଠ ଫାଳିଆ ଠାରୁ ଆରମ୍ଭ କରି ଗୋଇଠା, ବିଧା ମାରିଥିଲେ।
ଉଭୟଙ୍କ ଫୋନ୍ରୁ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇ ୧୦ ଲକ୍ଷ ଟଙ୍କା ମାଗିଥିଲେ । ଧମକ ପାଇ ପରିବାର ଲୋକେ ୧୦ ଲକ୍ଷ ଟଙ୍କା ଦେଇ ୱେବ୍ ପୋର୍ଟାଲ୍ କର୍ମଚାରୀଙ୍କ ଠାରୁ ଉଭୟଙ୍କୁ ମୁକୁଳାଇ ଥିଲେ । ଏହା ପରେ ଦୁଇ ଦିନ ତଳେ ଉଭୟ ବ୍ୟବସାୟୀ ଏନେଇ ଥାନାରେ ମାମଲା ଦାୟର କରି ଥିଲେ । ଏହା ପରେ ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଏକ ଟିମ୍ ସେଠାକୁ ଯାଇ ୪ ଅଭିଯକ୍ତଙ୍କୁ ଉଠାଇ ଥାନାକୁ ଆଣିଛି ।
ଏହି ଘଟଣାରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଘଟଣାରେ ଅନେକ ଅଭିଯୁକ୍ତ ସାମିଲ ଅଛନ୍ତି । ସେମାନଙ୍କୁ ଖୋଜାଚାଲିଛି, ପୂର୍ବରୁ ମଧ୍ୟ ସେମାନେ ଏମିତି ଦାଦାବଟି ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ସେସବୁର ଖୋଳତାଡ଼ ଚାଲିଛି । ୱେବ ପୋର୍ଟାଲ ଅଫିସକୁ ସିଲ କରିଦିଆଯାଇଛି ବୋଲି ପୋଲିସ ସୂଚନା ଦିଆଯାଇଛି।





