(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର :ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି। ଆଜି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌ ୨୦୨୧ । ଏହି ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ। ଏସସି/ଏସଟି ଙ୍କ ପାଇଁ ସଂରକ୍ଷଣ ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ରହିବ। ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ କାର୍ଯ୍ୟକାରୀ କରିବେ। ଏହି ବିଲ୍‌ ବିଧାନସଭାରେ ପାରିତ ହେବା ପରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଗତ କାଲି ପୌର ନିର୍ବାଚନ  ବିଧାନସଭାରେ ମ୍ୟୁନିସପାଲିଟି ଆଇନ ସଂଶୋଧନ ବିଲ୍ ପାରିତ ହୋଇସାରିଛି। ଏହି ବିଲ୍ ପାରିତ ହେବା ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିସାରିଥିଲା। ଉକ୍ତ ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। ଏସସି/ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ। ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।

ତେବେ ଏହି ସଂଶୋଧିତ ଆଇନ ଅନୁସାରେ ଏସସି/ଏସଟିଙ୍କୁ ଆବଶ୍ୟକ ଆସନ ସଂରକ୍ଷଣ ଦେବା ପରେ ପଛୁଆ ବର୍ଗଙ୍କୁ ଦିଆଯିବ। ଆସନର ଅବଶିଷ୍ଟ ଅଂଶଗୁଡ଼ିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ ବୋଲି ପ୍ରାଵଧାନ ରହିଛି । ତେବେ ଗଲା ୩ ବର୍ଷ ହେଲାଣି, ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସଂରକ୍ଷଣ ସୀମାକୁ ନେଇ ନିର୍ବାଚନ କରାଉନଥିବା ଆଳ ଦେଖାଇ ଆସୁଥିଲେ ସରକାର। ତେବେ ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବକୁ ନେଇ ହାଇକୋର୍ଟରେ ୩ଟି ପୃଥକ ମାମଲା ଦାୟର ହୋଇଥିଲା। ଅଗଷ୍ଟ ୨୫ ତାରିଖରେ ହାଇକୋର୍ଟ ଏହି ମାମଲାର ଏକତ୍ର ଶୁଣାଣି କରିଥିଲେ। ଶୁଣାଣି ପ‌ରେ ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସସରକାରଙ୍କୁ ଜବାବ ତଲବ କରିଥିଲେ ହାଇକୋର୍ଟ।