ବଢୁଛି କୋଭିଡ ସଂକ୍ରମଣ, ଘାରୁଛି ଭୟ। ବଢ଼ୁଥିବା ସଂକ୍ରମଣକୁ ନେଇ ପୁଣି ଥରେ ରାଜଧାନୀକୁ ଫେରିଛି କଣ୍ଟେନମେଣ୍ଟ । ଭୁବନେଶ୍ୱରରେ ଆଉ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଡୁମଡୁମାର କସମୋପଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହି ୪ଟି ଫ୍ଲାଟରୁ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁ କାରଣରୁ ବିଏମସି ବଡ଼ ପଦକ୍ଷେପ ସ୍ୱରୂପ ଏହି ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରିଛି। ଗତକାଲି ରାଜଧାନୀର ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା।

ଆଜି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଫ୍ଲାଟ୍ ଗୁଡ଼ିକ ହେଲା ଜି-୧୩୨, ଜି-୧୫୧, ଜି-୧୧୨ ଓ ଜି-୧୪୨। କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ହୋଇଥିବା ଏହି ପ୍ଳଟ୍ ଗୁଡ଼ିକରେ କେହି ପ୍ରବେଶ କରିପାରିବେ ନାହିଁ କି ସେଠାରେ ରହୁଥିବା କୌଣସି ବ୍ୟକ୍ତି ବାହାରକୁ ଆସି ପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କୁ ବିଏମ୍‌ସି ପକ୍ଷରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ।