ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିନ୍ତା ବଢାଉଛି ଓମିକ୍ରନ । ଓଡିଶାରେ ଆଉ ୬୭ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି ।ଏ ଖବର ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ଓଡିଶାରେ ୨୮ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସାରା ଦେଶରେ ଓମିକ୍ରନ୍ ଭୟାବହତା ଜାରି ରହିଥିବା ବେଳେ ଦିନକୁ ଦିନ ଏହା ବେକାବୁ ହେବାରେ ଲାଗିଛି ।
ଓଡିଶାରେ ମଧ୍ୟ ସ୍ଥିତି ଧିରେ ଧିରେ ଭୟାନକ ହେବାରେ ଲାଗିଛି । ଯାହାର ଉଦାହରଣ ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫ ଜଣ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେପଟେ ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଭୁବନେଶ୍ୱରରେ ଆଉ ୭ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି । ଦକ୍ଷିଣ-ପୂର୍ବ ଜୋନ୍ର ୫ଟି ସ୍ଥାନକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିବା ବେଳେ ନର୍ଥ ଜୋନ୍ର ୨ଟି ସ୍ଥାନକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି ।





