କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି । କିଛିଦିନ ପୂର୍ବରୁ ଏହି ଯୁଦ୍ଧରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡ଼ାଙ୍କ ମୃତ୍ୟୁ ଘଟିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଉଠିଥିଲା । ଏହା ମଧ୍ୟରେ ମୃତ ଦେହକୁ ଭାରତକୁ ଆଣିବା ପାଇଁ ପରିବାର ଲୋକେ ବାରମ୍ବାର ଅନୁରୋଧ କରିଆସୁଛନ୍ତି । ପୁଅକୁ ଶେଷଥର ଦେଖିବା ପାଇଁ ବାପା ମା’ ଓ ପରିବାର ଲୋକେ ଚାହିଁବସିଛନ୍ତି । ହେଲେ ଏସବୁ ମଧ୍ୟରେ କର୍ଣ୍ଣାଟକର ଜଣେ ବିଜେପି ବିଧାୟକ ଅଜବ ବୟାନ ଦେଇଛନ୍ତି । ଯାହ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତେବେ ୟୁକ୍ରେନରୁ ନବୀନଙ୍କ ମୃତଦେହ ଆଣିଲେ ବିମାନରେ ଅଧିକ ଜାଗା ଦରକାର ହେବ। ମୃତଦେହ ବଦଳରେ ବିମାନରେ ୮ରୁ ୧୦ ଜଣ ଜୀବିତ ଲୋକ ଆସିପାରିବେ ବୋଲି ସେ କହିଛନ୍ତି। ବିଜେପି ବିଧାୟକଙ୍କ ଏପରି ବୟାନକୁ ନବୀନଙ୍କ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସେପଟେ ବେଙ୍ଗାଲୁରୁର ୨୧ ବର୍ଷୀୟ ନବୀନ ୟୁକ୍ରେନରେ ମେଡିକାଲ ଶିକ୍ଷା ଲାଭ କରୁଥିଲେ। ହେଲେ ୩ ଦିନ ତଳେ ଖାରକିଭ୍ରେ ରୁଷ କରିଥିବା ବୋମା ମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି।
ଏବେ ଖାରକିଭର ଗୋଟିଏ ଶବାଗାରରେ ତାଙ୍କ ମୃତଦେହକୁ ରଖାଯାଇଛି। ମୃତଦେହକୁ ଭାରତ ଆଣିବା ପାଇଁ ପରିବାର ଲୋକ ନିବେଦନ କରୁଛନ୍ତି।ନବୀନଙ୍କ ମୃତଦେହ କେବେ ଭାରତ ଆସିବ ବୋଲି ସାମ୍ବାଦିକମାନେ ବିଜେପି ବିଧାୟକ ଅରବିନ୍ଦ ବେଲ୍ଲାଡଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଛନ୍ତି, “ନବୀନଙ୍କ ପାର୍ଥିବ ଶରୀର ୟୁକ୍ରେନରୁ ଆଣିବା ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରୁଛନ୍ତି। ୟୁକ୍ରେନ ଏବେ ଯୁଦ୍ଧ କ୍ଷେତ୍ର ଓ ଏକଥା ସମସ୍ତେ ଜାଣିଛନ୍ତି। ପ୍ରୟାସ ଚାଲିଛି ଓ ଯଦି ସମ୍ଭବ ମୃତଦେହକୁ ସ୍ୱଦେଶ ଅଣାଯିବ। ଜୀବିତ ଲୋକଙ୍କୁ ସ୍ୱଦେଶ ଆଣିବା ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି ସ୍ଥିତିରେ ମୃତଦେହକୁ ଆଣିବା ଆହୁରି କଷ୍ଟକର। କାରଣ ମୃତଦେହ ବିମାନରେ ଅଧିକ ଜାଗା ଦରକାର କରିଥାଏ। ମୃତଦେହ ବଦଳରେ ୮ରୁ ୧୦ ଜଣ ଲୋକ ବେଶ ଆରାମରେ ବିମାନ ଯୋଗେ ଆସିପାରିବେ। ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତଦେହକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
