ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ନେତା ତଜିନ୍ଦର ସିଂହ ବଗା ଗିରଫ ହେବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ବିଜେପି ନେତା ତଥା ଯୁବ ସାଂସଦ ତେଜସ୍ୱୀ ସୂର୍ୟ୍ୟ ଆଜି ତଜିନ୍ଦରଙ୍କୁ ଭେଟିବା ସହ ଆପ ଫାସିବାଦ ଚଳାଇଛି ବୋଲି ଅଭିଯୋଗ କରିଛନ୍ତି। ତେଜସ୍ୱୀ କହିଛନ୍ତିଯେ, ପୁଣି ଥରେ ଅରବିନ୍ଦ କେଜ୍ରିୱାଲଙ୍କ ଫାସିବାଦ ମୁଖା ଖୋଲିଯାଇଛି। ପଞ୍ଜାବର ପୁଲିସକୁ ଆପ୍ ଅପବ୍ୟବହାର କରି ତଜିନ୍ଦର ସିଂହଙ୍କୁ ଗିରଫ କରିଛି । ସେମାନେ ବଗାଙ୍କ ଅଭିବ୍ୟକ୍ତି ଆଜାଦିକୁ ଛଡ଼େଇବାକୁ ଉଦ୍ୟମ କରିଛନ୍ତି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ଭିତ୍ତିକ ଅପହରଣ।
ଆପ ନେତାମାନେ ଖୁବ୍ ଶୀଘ୍ର ଜେଲକୁ ଯିବେ। ଏହି ମାମଲାରେ ଆମେ ନିର୍ଣ୍ଣାୟକ ଲଢ଼େଇ କରିବୁ ବୋଲି ତେଜସ୍ୱୀ କହିଛନ୍ତି। ଗତକାଲି ତଜିନ୍ଦର ବଗାଙ୍କୁ ତାଙ୍କ ବାସଭବନରୁ ପଞ୍ଜାବ ପୁଲିସ ଗିରଫ କରିବା ଏବଂ ମଝି ରାସ୍ତାରୁ ଦିଲ୍ଲୀ ପୁଲିସ ତାଙ୍କୁ ଦିଲ୍ଲୀ ଆଣିବା ଘଟଣାକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ତେବେ ଗିରଫ ମାମଲାକୁ ନେଇ ପଞ୍ଜାବ-ହରିୟାଣା ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିବା ବେଳେ ଏହା ଉପରେ ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





