ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ, ଏହାରି ମଧ୍ୟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ମତ ରଖିଛନ୍ତି ଶଙ୍କରାଚାର୍ଯ୍ୟ ।
ସପକ୍ଷବାଦୀ ଓ ବିପକ୍ଷବାଦୀ ଉଭୟ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି । ପ୍ରାୟ ଦୁଇ ଘଣ୍ଟା ଧରି ଏହି ଆଲୋଚନା ଚାଲିଥିଲା । ଆଲୋଚନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।
ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟରେ ରାଜନୀତି କରିବା ଉଚିତ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ ମତ ପୋଷଣ କରିଛନ୍ତି | ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଚାଲିଥିବା ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ ସୋମବାର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଥିଲେ । ଶଙ୍କରାଚାର୍ଯ୍ୟ କହିଛନ୍ତି, “ASIର କୌଣସି ଅଧିକାରୀ ମୋ ସହ ଆଲୋଚନା କରିନାହାନ୍ତି । ଯାତ୍ରୀ ପରିକ୍ରମା ସମ୍ପର୍କରେ ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିସ୍ତୃତ ଭାବେ ପ୍ରକଳ୍ପ ସଂପର୍କରେ ବୁଝାଇଛନ୍ତି। ପ୍ରକଳ୍ପକୁ ନେଇ କୌଣସି ରାଜନୀତି ହେବା ଉଚିତ୍ ନୁହେଁ ।
ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀ ଉଭୟ ମିଶି ଆଲୋଚନା କଲେ ସମସ୍ୟା ସହଜରେ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।” ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, “କେହି ବିକାଶ କାର୍ଯ୍ୟ ବିରୋଧୀ ହେବା ଉଚିତ୍ ନୁହେଁ । ଶାସ୍ତ୍ର ଆଧାରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବିକାଶ କାର୍ଯ୍ୟ କରାଯାଉ ।”
ସେପଟେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ଗଜପତି ପ୍ରତିକ୍ରିୟା ରଖିଛନ୍ତି । ପ୍ରୋଜେକ୍ଟର ମାଧ୍ୟମରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଓ ଡିଜାଇନ ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କୁ ବୁଝାଯାଇଛି । ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କ ସହ ବିସ୍ତୃତ ଆଲୋଚନା କରି ଅବଗତ କରାଯାଇଛି |
ସୂଚନାଯୋଗ୍ୟ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ ପ୍ରତିକ୍ରିୟା ରଖିଥିଲେ ।
ସେ କହିଥିଲେ, ବିକାଶ କାମ ଯାହା ଚାଲିଛି, ତାର ଖରାପ ପ୍ରଭାବ ନପଡୁ । ଶ୍ରୀମନ୍ଦିରର ଭବିଷ୍ୟତ ଓ ବର୍ତମାନ ପ୍ରତି ଯେପରି କୌଣସି ଆଘାତ ନପହଂଚେ ତା ଉପରେ ନଜର ଦେବାର ଆବଶ୍ୟକତା ରହିଛି । ଯାହା କାମ ଚାଲିଛି ତାହା ମନ୍ଦିର ଉପରେ ପ୍ରଭାବ ପଡ଼ିପାରେ । ତାଙ୍କ ଅନୁପସ୍ଥିତିରେ କାମ କରାଯାଉଛି । ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଥିଲା ବୋଲି କହିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟଙ୍କ ଏଭଳି ପ୍ରତିକ୍ରିୟା ପରେ ତାଙ୍କୁ ଭେଟିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜାଙ୍କ ସହ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧ୍ୟ ଗଜପତିଙ୍କୁ ଭେଟିଛନ୍ତି ।





