କଟକ: ଆସନ୍ତାକାଲିଠୁ ବିକ୍ରି ହେବ ଅନଲାଇନ୍ ଟିକେଟ୍ | ବାରବାଟୀ ଟି-20 ପାଇଁ ଆସନ୍ତାକାଲି ସକାଳ ୧୧ଟାଠାରୁ ଆରମ୍ଭ ହେବ ବିକ୍ରି। ୫ ହଜାର ଟିକେଟ ଅନ୍ଲାଇନରେ ବିକ୍ରି କରାଯିବ। ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ।
ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଓ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍। ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଂ କରିପାରିବେ। ଏଥିସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ୍ କାଉଣ୍ଟରରେ ଅଫଲାଇନରେ ଟିକେଟ ମିଳିବ।
ବାରବାଟୀରେ ଆସନ୍ତା ଜୁନ୍ ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ୍। ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଷ୍ଟାଡିୟମକୁ ନୂଆ ରୂପରେ ସଜାଯାଉଛି। ଏଥିସହ ଲାଇଟ୍ ସବୁ ଟେଷ୍ଟିଂ କରାଯାଇଛି।
ଆଗାମୀ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଆୟୋଜନ କରିବାକୁ ବିସିସିଆଇ ରାଜ୍ୟସଂଘଗୁଡ଼ିକୁ ଅନୁମତି ପ୍ରଦାନ କରିଥିଲେ | ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁନ୍ ୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୯ ତାରିଖରେ ଶେଷ ହେବ। ନୂଆଦିଲ୍ଲୀରେ ପ୍ରଥମ ମ୍ୟାଚ୍ ଜୁନ୍ ୯ରେ ଖେଳାଯିବା ପରେ ଦ୍ବିତୀୟ ମ୍ୟାଚ୍ ଜୁନ୍ ୧୨ ତାରିଖରେ କଟକରେ ଆୟୋଜିତ ହେବ। ସେହିଭଳି ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ମୁକାବିଲା ଯଥାକ୍ରମେ ବିଶାଖାପାଟଣା, ରାଜକୋଟ ଏବଂ ବେଙ୍ଗାଲୁରୁରେ ଜୁନ୍ ୧୪, ୧୭ ଏବଂ ୧୯ ତାରିଖରେ ଖେଳାଯିବ। ଏହା ପୂର୍ବରୁ ବିସିସିଆଇ ଆଇପିଏଲ୍ ପ୍ଲେ ଅଫ୍କୁ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଆୟୋଜନ କରିବାକୁ ଅନୁମତି ଦେଇସାରିଛି। କୋଭିଡ୍ ସଂକ୍ରମଣ ସଂଖ୍ୟା ଧୀରେଧୀରେ କମୁଥିବାରୁ ଦର୍ଶକଙ୍କୁ ଷ୍ଟାଡିୟମ୍ ଆସି ମ୍ୟାଚ୍ର ମଜା ନେବାର ସୁଯୋଗ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସେମିଫାଇନାଲ୍ ଖେଳିବାରୁ ଅଳ୍ପକେ ବଞ୍ଚିତ ହେବାପରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ହେବ। ଭାରତ ମଧ୍ୟ ଦୀର୍ଘ ବ୍ୟବଧାନ ପରେ କୌଣସି ଅନ୍ତର୍ଜାତୀୟ ଶୃଙ୍ଖଳା ଖେଳିବ। ତା ଛଡ଼ା ବାଂଲାଦେଶ ଓ ପାକିସ୍ତାନ ସହ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଚଳିତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି। ଏଣୁ ଏହି ଶୃଙ୍ଖଳାକୁ ନେଇ ଉଭୟ ଦେଶର ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି।





