ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନେସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତୃତୀୟ ଦିନ ଧରି ଜେରା କରୁଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ପୋଲିସ କଂଗ୍ରେସ କାର୍ଯ୍ୟାଳୟରେ ପଶି କଂଗ୍ରେସ କର୍ମୀଙ୍କୁ ଲାଠି ଚାର୍ଜ କରିବା ସହ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି । ସେପଟେ ଦଳର ବରିଷ୍ଠ ନେତା ରଣଦୀପ ସିଂ ସୁରଜେୱାଲା ଏହାକୁ ଏକ ଅପରାଧିକ ଅପରାଧ ବୋଲି କହିବା ସହ ଆସନ୍ତା କାଲି ସମସ୍ତ ରାଜ ଭବନ ବାହାରେ ଦେଶବ୍ୟାପୀ ବିରୋଧ ଘୋଷଣା କରିଛନ୍ତି। ଏହା ସହ ଦିଲ୍ଲୀ ପୁଲିସ ବିଜେପିର ବ୍ୟକ୍ତିଗତ ସେନା ବୋଲି ଦଳର ବରିଷ୍ଠ ନେତା ରଣଦୀପ ସିଂ ସୁରଜେୱାଲା କହିଛନ୍ତି । ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଜେରାର ତୃତୀୟ ଦିନରେ କଂଗ୍ରେସ ଦଳ ଦିଲ୍ଲୀ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।
କଂଗ୍ରେସ ପାର୍ଟି ଆଜି ଅଭିଯୋଗ କରିଛି ଯେ ଏଠାରେ ଥିବା ଏଆଇସିସି କାର୍ୟ୍ୟାଳୟକୁ ଦିଲ୍ଲୀ ପୋଲିସ ଅବରୋଧ କରିଛି ଏବଂ କେବଳ କିଛି ବରିଷ୍ଠ ନେତାଙ୍କୁ ସେଠାକୁ ଯିବାକୁ ବା ବାହାରକୁ ଯିବାକୁ ଅନୁମତି ଦିଆଯାଇଛି। ସେପଟେ ସୋମବାର ଠାରୁ ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରିବା ପରେ କଂଗ୍ରେସ ସତ୍ୟଗ୍ରାହ ଆରମ୍ଭ କରିଥିଲା। ସେହିଦିନଠାରୁ ପ୍ରାୟ ୮୦୦ ଲୋକଙ୍କୁ ଅଟକ ରଖାଯାଇଛି। ଆଜି ବିରୋଧ ପ୍ରଦର୍ଶନ ପାଇଁ ଦଳ ଅନୁମତି ନେଇ ନାହିଁ ଏବଂ ଧାରା ୧୪୪ ବଳବତ୍ତର ଥିବା ଅଞ୍ଚଳରେ କଂଗ୍ରେସ କର୍ମୀ ଏବଂ ନେତାମାନେ ଏକାଠି ହୋଇଛନ୍ତି। ଫଳସ୍ୱରୂପ, ସେମାନଙ୍କୁ ଅଟକ ରଖାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





