ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଦ୍ଧବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡ଼ିବା ପରେ ଆସାମସ୍ଥିତ ସିନ୍ଦେଙ୍କ ଶିବିରରେ ଯୋଗ ଦେଉଛନ୍ତି ଅଧିକ ବିଧାୟକ । ତେବେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଅନ୍ୟ ବିଧାୟକମାନଙ୍କ ସହିତ ଯୋଗ ଦେବା ପାଇଁ ମହାରାଷ୍ଟ୍ରର ଆଉ ୩ଜଣ ବିଧାୟକ ଆସାମର ଗୌହାଟୀରେ ପହଞ୍ଚିଛନ୍ତି। ବୁଧବାର ରାତିରେ ମଧ୍ୟ ବିଧାୟକ ଚନ୍ଦ୍ରକାନ୍ତ ପାଟିଲ୍, ଯୋଗେଶ କଦମ, ମଞ୍ଜୁଳା ଗାୱିତ୍ ଏବଂ ଗୁଲାବରାଓ ପାଟିଲ୍ ମଧ୍ୟ ସିନ୍ଦେ ଓ ତାଙ୍କ ସହଯୋଗୀ ନେତାମାନେ ଶିବିର ପକାଇଥିବା ଗୌହାଟୀସ୍ଥିତ ରେଡିସନ୍ ବ୍ଲୁ ହୋଟେଲ୍ରେ ପହଞ୍ଚିଥିଲେ।

ସେପଟେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ‘ଶିବସେନା ବିଧାୟକ ଦଳ’ଦ୍ବାରା ଅନୁମୋଦିତ ୩୪ଜଣ ବିଧାୟକଙ୍କ ସ୍ବାକ୍ଷର ଥିବା ଏକ ପ୍ରସ୍ତାବନାରେ ଉଲ୍ଲେଖ ଅଛି ଯେ, ବିଦ୍ରୋହୀ ନେତା ଏକନାଥ ସିନ୍ଦେ ସେମାନଙ୍କର ନେତା ଅଟନ୍ତି। ମଙ୍ଗଳବାର ଦିନ ଗୃହୀତ ହୋଇଥିବା ଉକ୍ତ ପ୍ରସ୍ତାବନାରେ ଉଲ୍ଲେଖ ଅଛି ଯେ, ୨୦୧୯ରେ ସର୍ବସମ୍ମତିକ୍ରମେ ‘ଶିବସେନା ବିଧାୟକ ଦଳ’ର ନେତା ନିର୍ବାଚିତ ହୋଇଥିବା ଏକନାଥ ସିନ୍ଦେ ବିଧାୟକ ଦଳର ନେତା ହୋଇ ରହିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।