ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ସେପଟେ ମୃତଦେହ ପାଖରୁ ମିଳିଥିବା ସୁଇସାଇଡ ନୋଟରେ ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ଜୀବନ ହାରିଥିବା ଲେଖିଛନ୍ତି ରୁଚିକା । ଏହାକୁ ବିରୋଧ କରି ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କ ବାସଭବନ ଘେରାଓ କରିଥିଲେ ଛାତ୍ର କଂଗ୍ରେସ । । ରାତି ପାଖାପାଖି ୯ଟା ବେଳେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ପ୍ରାୟ ୨୦ରୁ ଅଧିକ କର୍ମୀ ପ୍ରଥମେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମ୍ମୁଖରେ ଧାରଣାରେ ବସିଥିଲେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ହଠାତ୍ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ କରିଥିଲେ ।
ଏହା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନାରାବାଜି କରିଥଲେ । ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ରାଜଧାନୀରେ ଚାଂଚଲ୍ୟ ଖେଳି ଯାଇଛି । ବିଜେବି କଲେଜରେ ପ୍ଲସ-ଥ୍ରୀ ପଢୁଥିବା ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଲେଜର ହଷ୍ଟେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପାଖରୁ ମିଳିଥିବା ସୁଇସାଇଡ ନୋଟରେ ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ଜୀବନ ହାରିଥିବା ଲେଖିଛନ୍ତି ରୁଚିକା । ଖବର ପାଇ ପରିବାର ଲୋକେ ଭୁବନେଶ୍ୱର ପହଂଚି ନ୍ୟାୟ ଦାବିରେ କଲେଜ ଗେଟରେ ଧାରଣାରେ ବସିଥିଲେ । ରୁଚିକାର ମୃତ୍ୟୁ ପାଇଁ କଲେଜ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର । ଏଥିସହ ର୍ୟାଗିଂ କରିଥିବା ୩ ଜଣ ଛାତ୍ରୀଙ୍କୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ହେଲେ ପୁରା ଘଟଣା ସନ୍ଦେହ ଘେରରେ ରହିଛି ।
କାରଣ ରୁଚିକା ଗତକାଲି ସକାଳେ ମାଆଙ୍କ ସହ ସ୍ୱାଭାବିକ ଭାବେ କଥା ହୋଇଥିଲେ । ସେହି ସମୟରେ ର୍ୟାଗିଂ ବାବଦରେ କିମ୍ବା ମାନସିକ ନିର୍ଯାତନା ବାବଦରେ ରୁଚିକା ମାଆଙ୍କୁ କିଛି କହିନଥିବା ଜଣାପଡିଛି । ଏଇଠି ପ୍ରଶ୍ନ ଉଠୁଛି ଯେ ମାଆଙ୍କ ସହ କଥା ହେବା ପରେ ଏମିତି କଣ ଘଟିଗଲା ଯେ ରୁଚିକା ଆତ୍ମହତ୍ୟା କଲେ? ହଷ୍ଟେଲରେ ର୍ୟାଗିଂ ହେଉଥିବା କଥା ହଷ୍ଟେଲ ସୁପରିଟେଣ୍ଡେଂଟ ଓ କଲେଜ କର୍ତୃପକ୍ଷଙ୍କୁ ଜାଣିପାରିଲେ ନାହିଁ କେମିତି? ଏସବୁ ପ୍ରଶ୍ନ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରହସ୍ୟ ସୃଷ୍ଟି କରିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।





