ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆଙ୍କୁ ସର୍ବସମ୍ମୁଖରେ ଛୁରୀରେ ଆକ୍ରମଣ । କିଛି ଦୁର୍ବୃତ୍ତ ତାଙ୍କୁ ଏହି ଆକ୍ରମଣ କରିଥିବା ଜଣାପଡିଛି। ବିଜେପି ନେତା ସତୀଶ ପୁନିଆ ରାଜସମନ୍ଦରେ ଚାଲିଥିବା ଏକ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହି କାର୍ୟ୍ୟକ୍ରମରେ ତାଙ୍କୁ ଛୁରୀରେ ଆକ୍ରମଣ ହୋଇଛି। ତେବେ ଏଥିରେ ତାଙ୍କର କୌଣସି କ୍ଷତି ହୋଇନାହିଁ କି ତାଙ୍କୁ ଆଘାତ ମଧ୍ୟ ଲାଗିନାହିଁ। ଯେତେବେଳେ ତାଙ୍କ ଉପରେ ଆକ୍ରମଣ ହେଲା ସେତେବେଳେ ଦଳୀୟ କର୍ମୀମାନେ ତାଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଯାଇଥିଲେ। ଘଟଣା ପରେ ସତୀଶ ପୁନିଆଙ୍କୁ ସୁରକ୍ଷିତ ଭାବେ କାର୍ରେ ବସାଇ ପଠାଇ ଦିଆଯାଇଛି। ତେବେ ବିଜେପି ନେତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି କିଏ ତାଙ୍କୁ ଗିରଫ କରାଯାଇଛି କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ସେପଟେ ସତୀଶ ପୁନିଆ ଆଜି ନଥଦ୍ୱାରରେ ଶ୍ରୀନାଥଜୀଙ୍କ ଦର୍ଶନ କରିଥିଲେ। ଏହାପରେ ଦଳୀୟ କାର୍ୟ୍ୟକ୍ରମରେ ସାମିଲ ହୋଇ ମୋଦି ସରକାରଙ୍କ ୮ ବର୍ଷର ସଫଳ ଉପଲବ୍ଧି ବଖାଣିଥିଲେ। ଏହା ପୂର୍ବରୁ ମଧ୍ୟ ସତୀଶ ପୁନିଆଙ୍କ ଉପରେ ଆକ୍ରମଣ ହୋଇସାରିଛି। ଫେବ୍ରୁଆରୀ ମାସରେ କୋଟାରେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଦେଇଥିବା ବୟାନକୁ ନେଇ କଂଗ୍ରେସ ବିରୋଧ କରିଥିଲା। କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥରେ ପୁନିଆଙ୍କ କାର୍କୁ ଅଟକାଇ କଳା ପତାକା ଦେଇଥିଲେ। ଏଥିସହ ତାଙ୍କ କାର୍ ଉପରକୁ ପଥର ମାଡ ମଧ୍ୟ ହୋଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





