ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ବଢ଼ୁଥିବା ଦର ଦାମ ରେ ଲୋକ ମାନେ ଆଉଟୁ ପାଉଟୁ ହେଉଥିବା ବେଳେ ଏବେ ଏକ ଖୁସି ଖବର ମିଳିଛି। ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଜାରି ରହିଥିବା ବେଳେ ଆଗକୁ ପେଟ୍ରୋଲ-ଡିଜେଲର ଦାମ କମିବ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ବଜାର ରେ ଅଶୋଧିତ ତୈଳ ଏକ ବ୍ୟାରେଲ ପିଛା ଦାମ୍ ୧୦୦ଡଲାରରୁ ତଳକୁ ଖସି ଆସିଛି। ଗତ କିଛି ଦିନ ହେଲାଣି ଅଶୋଧିତ ତୈଳର ମୂଲ୍ୟ କମ ହେଉଥିବାରୁ ଖୁବ ଶୀଘ୍ର ପେଟ୍ରୋଲ-ଡିଜେଲର ଦର କମିପାରେ ବୋଲି ଆଶା କରାଯାଉଛି।
ତେବେ ଜୁନ୍ ମାସରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ବୃଦ୍ଧି ପାଇଥିଲା । ଓଡ଼ିଶାରେ ଜୁନ୍ ମାସରେ ମଦ ଓ ପେଟ୍ରୋଲରୁ ଭାଟ୍ ବାବଦରେ ୧୦୯୪.୩୩ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁନରେ ଏବାବଦରେ ୭୧୧.୧୫ କୋଟି ଟଙ୍କା ଆଦାୟ ହୋଇଥିଲା। ଅର୍ଥାତ୍ ଗତବର୍ଷ ଜୁନ୍ ତୁଳନାରେ ଚଳିତବର୍ଷ ଜୁନରେ ଭାଟ୍ ଆଦାୟ ରାଶି ଓଡ଼ିଶାରେ ୫୩.୮୮ ପ୍ରତିଶତ ବୃଦ୍ଧି ପାଇଛି। ୧୦୯୪.୩୩ କୋଟି ଟଙ୍କାର ଭାଟ୍ରୁ ପେଟ୍ରୋଲିୟମ ଉତ୍ପାଦ ଉପରୁ ୮୬୦.୫୭ କୋଟି ଟଙ୍କା ଏବଂ ମଦରୁ ୨୩୩.୭୬ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁନରେ ରାଜ୍ୟ ସରକାର ଭାଟ୍ ବାବଦରେ ପେଟ୍ରୋଲିୟମ ଉତ୍ପାଦ ଉପରୁ ୫୮୫.୫୮ କୋଟି ଟଙ୍କା ଏବଂ ମଦରୁ ୧୨୫.୫୬ କୋଟି ଟଙ୍କା ଆଦାୟ କରିଥିଲେ।
