ଆମେ ନରେନ୍ଦ୍ର ମୋଦିଙ୍କୁ ଭୟ କରୁନାହୁଁ, ଯାହା କରିବାର ଅଛି କର : ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟକୁ ସିଲ କରାଯିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ” ଆମେ ନରେନ୍ଦ୍ର ମୋଦିଙ୍କୁ ଭୟ କରୁନାହୁଁ। ଯାହା କରିବାର ଅଛି, ତାହା କର। ଆମକୁ କିଛି ଫରକ ପଡ଼ିବ ନାହିଁ। କିଛି ମିଳିବ ନାହିଁ। ତୁମେ ଯାହା କରିବାକୁ ଚାହୁଁଛ ତାହା କର।ଦେଶକୁ ସୁରକ୍ଷା ଦେବା, ଗଣତନ୍ତ୍ରର ସୁରକ୍ଷା, ଦେଶର ସମନ୍ବୟ ରକ୍ଷା କରିବା ମୋର କାମ ଏବଂ ମୁଁ ଏହା ଜାରି ରଖିବି। “

ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀର ବାହାଦୂରଶାହ ଜାଫର ମାର୍ଗରେ ଥିବା ହେରାଲ୍ଡ ହାଉସ୍‌ର ୟଙ୍ଗ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିଃ ଅଫିସରେ ମଙ୍ଗଳବାର ଇଡି ଅଧିକାରୀମାନେ ଚଢ଼ାଉ କରିଥିଲେ। ବୁଧବାର ଉକ୍ତ ଅଫିସକୁ ଇଡି ସିଲ୍‌ ମଧ୍ୟ କରିଛି। ଏହାସହ ଇଡିର ବିନା ଅନୁମତିରେ ଉକ୍ତ ପରିସରକୁ ଖୋଲାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିକଟରେ ଇଡି ପକ୍ଷରୁ ସୋନିଆ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ଏକାଧିକ ପର୍ଯ୍ୟାୟରେ ଜେରା କରାଯାଇଥିଲା। ଅଫିସ ସିଲ୍‌କୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ବିରୋଧୀ ଦଳକୁ ଟାର୍ଗେଟ କରିବା ପାଇଁ କେନ୍ଦ୍ର ସରକାର ଏପରି କରିଛନ୍ତି। ଏଭଳି ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ଆମେ ନିନ୍ଦା କରୁଛୁ। ମୋଦି ସରକାର ଆମ ମୁହଁ ବନ୍ଦ କରିପାରିବେ ନାହିଁ ବୋଲି ସେ ଟୁଇଟ୍‌ କରିଛନ୍ତି। ଇତିମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଦିଲ୍ଲୀ ପୋଲିସ ସୋନିଆଙ୍କ ଘର ବାହାରେ ଏବଂ ଏଆଇସିସି ମୁଖ୍ୟାଳୟ ରାସ୍ତାରେ ବ୍ୟାରିକେଡ୍‌ କରିଛି।

Related Posts