ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ହୋଇଛି ଆରଜେଡିର ସମ୍ମିଳନୀ। ଏହି ଅବସରରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଦଳର ନେତା ତେଜସ୍ୱୀ ଯାଦବ ଯୋଗ ଦେଇ ସମ୍ମିଳନୀ କୁ ସମ୍ବୋଧିତ କରିଥିଲେ । ଏଥିସହ ଏକ ବଡ଼ ଘୋଷଣା କରିଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିବାବେଳେ ସେ ସମସ୍ତଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।
ଏହା ସହ ସେ ଦଳ ବିରୋଧରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଦଳରେ ରହି ଦର ବିରୋଧୀ କାମ କରୁଥିବା ଲୋକେ କେଉଁ ପାର୍ଶ୍ୱରେ ରହିବାକୁ ଚାହୁଁଛନ୍ତି, ତାହା ସ୍ଥିର କରିବା ଉଚିତ।
ସେ କହିଛନ୍ତି ଯେ, ଆମେମାନେ ସମାଜବାଦକୁ ଅନୁସରଣ କରୁଥିବା ଲୋକ। ସମାଜବାଦ ହିଁ କଠୋରପନ୍ଥୀଙ୍କୁ ଜବାବ ଦେଇପାରିବ। ଏହି ଲୋକମାନଙ୍କର ଅନେକ ଏଜେଣ୍ଡା ଅଛି। ଏଭଳି ପରିସ୍ଥିତିରେ କେବଳ ଗୋଟିଏ ନିବେଦନ କରୁଛି ଯେ ଆପଣ ସମସ୍ତେ ଏକଜୁଟ ରୁହନ୍ତୁ। ଯେକୌଣସି ସ୍ଥାନରେ ବି ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଆମର ଏକ ପାର୍ଟୀ ଅଛି, ଆମର ଗଠବନ୍ଧନ ଅଛି। ଏଭଳି ପରିସ୍ଥିତିରେ ବେଳେବେଳେ ଆମକୁ ବଡ଼ ଲକ୍ଷ୍ୟକୁ ମଧ୍ୟ ଦେଖିବାକୁ ପଡେ। ଯଦି ଆଞ୍ଚଳିକ ଦଳମାନେ ନିଜ ମଧ୍ୟରେ ଝଗଡା ଜାରି ରଖନ୍ତି, ତେବେ ତାହା ସବୁଠାରୁ ବଡ ମୂର୍ଖତା ହେବ। ସେଥିପାଇଁ ଆମକୁ ଏକଜୁଟ ରହିବାକୁ ପଡିବ ।
