ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟା ବେଳେ ଏନେଇ ମତଦାନ ଆରମ୍ଭ ହୋଇଛି। ଦଳର ଏହି ଶୀର୍ଷ ପଦବୀ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶୀ ଥରୁର୍‌ଙ୍କ ସପକ୍ଷ ବା ବିପକ୍ଷରେ ୯୦୦୦ରୁ ଊର୍ଦ୍ଧ୍ବ ପ୍ରଦେଶ କଂଗ୍ରେସ ପ୍ରତିନିଧିମାନ‌େ ମତଦାନ କରିବେ।ଦଳର ୧୩୭ ବର୍ଷ ଇତିହାସରେ ୬ଷ୍ଠ ଥର ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ନିମ‌ନ୍ତେ ନିର୍ବାଚନ ଚାଲିଛି।

ଦିଲ୍ଲୀସ୍ଥିତ ‘ଏଆଇସିସି’ ମୁଖ୍ୟାଳୟରେ ଦଳର ନେତା ପି. ଚିଦଦମ୍ବରମ୍‌ ଭୋଟ୍‌ ଦେଇ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନର ଶୁଭାରମ୍ଭ କରିଛନ୍ତି। ସେହିପରି, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିବା ୧୧ଟାରେ ଏଆଇସିସି ମୁଖ୍ୟାଳୟରେ ତାଙ୍କର ଭୋଟ୍‌ ଦେଇଛନ୍ତି।

‘ଏଆଇସିସି’ ଯୋଗାଯୋଗ ବିଭାଗ ମୁଖ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି। ଭୋଟ୍ ଦେଇ ସାରି ସେ କହିଛନ୍ତି, ଏହା ଏକ ସ୍ମରଣୀୟ ଅବସର। କଂଗ୍ରେସ ହେଉଛି ଏକମାତ୍ର ଦଳ ଯାହାର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି।

ସୂଚନାଯୋଗ୍ୟ ଯେ, ସମ୍ପ୍ରତି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକରେ ଭାରତ ଯୋଡ଼ୋ ଯାତ୍ରା କରୁଥିବାରୁ ସେ ଓ ଯାତ୍ରରେ ଭାଗ ନେଇଥିବା ଆଉ ୪୦ଜଣ ପ୍ରତିନିଧିଙ୍କ ଭୋଟ୍‌ ଦାନ ନିମନ୍ତେ ଗୋଟାଏ କଣ୍ଟେନର୍‌ରେ ବୁଥ୍‌ କରାଯାଇଛି। ଏହି ବୁଥ୍‌ ମଧ୍ୟ ପୂର୍ବାହ୍ନ ୧୦ଟା ବେଳେ ସାଙ୍ଗାନାକାଲ୍ଲୁରେ ଖୋଲିଛି। ଏଠାରେ ମଧ୍ୟ ମତଦାନ ଆରମ୍ଭ ହୋଇଛି।

ଅନ୍ୟପଟେ, ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ମୋହନ ମର୍କାମ୍‌ ପ୍ରଥମେ ଭୋଟ୍‌ ଦେବା ପରେ ଛତିଶଗଡ଼ରେ ମତଦାନ ଆରମ୍ଭ ହୋଇଛି।

ତେବେ ଆଜି ମତଦାନ ଆରମ୍ଭ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁର୍‌ ମତେ ଫୋନ୍‌ କରି ଅଭିନନ୍ଦନ ଜଣାଇଛନ୍ତି କରିଛନ୍ତି। ମୁଁ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛି।

ସେପଟେ ଖଡ଼ଗେଙ୍କ ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁର୍‌ ମଧ୍ୟ କହିଛନ୍ତି ଯେ, ମୋର ମନେହୁଏ, କଂଗ୍ରେସର ନବୀକରଣ ଆରମ୍ଭ ହୋଇଛି। ଆଜି ମୁଁ ଫୋନ୍‌ କରି ଖଡ଼ଗେଙ୍କୁ କହିଛି, ଯାହା ହେବାର ହୋଇଛି, ଆମେ ସହଯୋଗୀ ଓ ବନ୍ଧୁ ହୋଇ ରହିବା।