ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି, ଢୋଲ, ମାର୍ଦ୍ଦଳ, ଘଣ୍ଟା ବଜାଇ ତାଙ୍କ ନିଦ୍ରା ଭଙ୍ଗ କରିବୁ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ନିମାପଡାର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୁଲିସ୍‌ ଭୂମିକା ସନ୍ଦେହ ଘେରରେ ଥିବା ଅଭିଯୋଗରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ବିଜେପିର ଶତାଧିକ ନେତା ଓ କର୍ମୀ ଆଜିଠୁ ପୁଲିସ କମିଶନରଙ୍କ ଅଫିସ ସାମ୍ନାରେ ଅହୋରାତ୍ର ଧାରଣାରେ ବସିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ଅହୋରାତ୍ର ଧାରଣା ଆସନ୍ତାକାଲି ସକାଳ ୧୦ଟା ଯାଏଁ ଚାଲିବ ।

ଏହି ଅବସରରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କର ହାତ ରହିଛି। ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣର ସୂଚନା ମିଳିଥିବା ବେଳେ ଯୌନ କେଳେଙ୍କାରୀ କଥା ବି ସାମ୍ନାକୁ ଆସିଛି। ଏହା ଆତ୍ମହତ୍ୟା ନୁହେଁ, ଏକ ପରିକଳ୍ପିତ ହତ୍ୟାକାଣ୍ଡ। ମାତ୍ର ପୁଲିସ୍‌ ଏହି ତଦନ୍ତକୁ ଲୁଚାଉଛି, ବାଟବଣା କରୁଛି। ଏଯାଏ ପୁଲିସ୍‌ ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ନେଉନାହିଁ। ଏଭଳି କଦର୍ଯ୍ୟ ମାନସିକତାକୁ ଆଦୌ ବରଦାସ୍ତ କରାଯିବନି। ଆସନ୍ତା ୪୮ ଘଣ୍ଟାରେ ପୁଲିସ୍‌ ଶିକ୍ଷା ମନ୍ତ୍ରୀଙ୍କୁ ଜେରା ନ କଲେ ତଥା ତାଙ୍କ ସହ ଜଡ଼ିତ ଥିବା ସମସ୍ତ ତଥ୍ୟ ବାହାରେ ପ୍ରଘଟ ନ କଲେ ଲମ୍ବା ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ।

ସେ ଆହୁରି କହିଛନ୍ତି ଯେ, ଗୃହ ବିଭାଗକୁ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି। ସେ ମୁକ, ବଧୀର, ଅନ୍ଧ ପାଲଟି ଯାଇଛନ୍ତି। ତାଙ୍କୁ ଉଠାଇବାକୁ ଢୋଲ, ମାର୍ଦ୍ଦଳ, ଘଣ୍ଟା, ବାଜା ବଜାଇବୁ ପଛେ ହେଲେ ମହାମାନ୍ୟଙ୍କ ନିଦ୍ରା ଭଙ୍ଗ କରିବୁ।

ଏହାବାଦ ଅର୍ଚ୍ଚନା ନାଗ ମାମଲାରେ ସରକାରଙ୍କୁ ଟାର୍ଗେଟ କରି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଅର୍ଚ୍ଚନା ନାଗ ରାଜ୍ୟ ସରକାରକୁ ଚଳାଉଥିଲେ। ତାଙ୍କର ସେକ୍ରେଟେରିଏଟରୁ ବିଧାନସଭା ପର୍ଯ୍ୟନ୍ତ ସବୁଠି ଅବାଧ ପ୍ରବେଶ ଥିଲା। ବହୁ ମନ୍ତ୍ରୀ, ବିଧାୟକଙ୍କ ସହ ତାଙ୍କ ସମ୍ପୃକ୍ତି ଥିଲା କାଳେ ସେମାନଙ୍କ ଗୁମର ଫିଟିଯିବ ତେଣୁ ଏବେ ପୁଲିସ୍‌ ଏହାକୁ ଚାପିବାକୁ ଚେଷ୍ଟା ଚଳାଉଛି। ମୁଖ୍ୟମନ୍ତ୍ରୀ ଠିକ୍‌ ଭାବେ ଏହାର ତଦନ୍ତ ପ୍ରକ୍ରିୟା ଆଗକୁ ନ ନେଲେ ଆସନ୍ତାକାଲି ସତ୍ୟାଗ୍ରହ ଶେଷ ହେବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଖୁଲାସା କରିବୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

Related Posts