୩ ଦିନରେ ପହଞ୍ଚିଲା ନୀଳଗିରି ସିଡିପିଓ ଅଫିସ ଆଗରେ ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା: ଆଜି ମାଣବସା ନେଇ କଲେ ପୂଜାର୍ଚ୍ଚନା

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ସିଡିପିଓ ଅଫିସ ଆଗରେ ଜାରୀ ରହିଛି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଧାରଣା । ୮ ଦଫା ଦାବୀ ନେଇ ଶତାଧିକ କର୍ମୀଙ୍କ ଧାରଣା ଆଜିକୁ ୩ ଦିନରେ ପହଞ୍ଚିଛି । ତେବେ ଆଜି ମାଣବସା ଗୁରୁବାର ହୋଇଥିବାରୁ ଧାରଣାସ୍ଥଳରେ ମହିଳାମାନେ କରିଛନ୍ତି ପୂଜାର୍ଚ୍ଚନା ।

କଳସ ବସାଇ ଦୀପଜାଳି ପୂଜାର୍ଚନା କରିବା ପରେ ଭୋଗଲଗାଇ ସିଡିପିଓ ଅଫିସ କର୍ମଚାରୀଙ୍କୁ ବାଣ୍ଟିଥିଲେ । ଏହାସହ ମାଣବସାଇ ଗାଇଥିଲେ ଲକ୍ଷ୍ମୀପୂରାଣ । ଏଭଳି ପ୍ରତିବାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା କର୍ମୀ କହନ୍ତି ।

ସରକାରୀ ମାନ୍ୟତା ଦାବି, ୫ହଜାର ଟଙ୍କା ମାସକୁ ପେନସନ ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ମାସକୁ ୧୮ ହଜାର ଟଙ୍କା ଦରମା ଓ ସହାୟିକାଙ୍କୁ ମାସକୁ ୯ ହଜାର ଟଙ୍କା ଦରମା ପ୍ରଦାନ, ମିନି ଅଙ୍ଗନୱାଡିକୁ ଅଙ୍ଗନୱାଡି କେନ୍ଦ୍ର କରାଯାଉ, ଜିକେଏସ କାର୍ଯ୍ୟରୁ ବାଦ ଦେବା, ଗରମ ଖାଦ୍ୟର ମାନ ବୃଦ୍ଧି କରାଯିବା ଭଳି ୮ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି କହିଛନ୍ତି ।

ଏହି ଆନ୍ଦୋଳନରେ ନୀଳଗିରି ପୂର୍ବତନ ବିଧାୟକ ତଥା ସଂଘର ଉପଦେଷ୍ଟା ଚିତ୍ତରଞ୍ଜନ ଷଡ଼ଙ୍ଗୀ ସାମିଲ ହୋଇ ନିଜେ ପୂଜାକରି ସରକାର ଶୀଘ୍ର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ସେପଟେ ସଂଘର ସଭାପତି ମଧ୍ୟ ସରକାର ଦାବିଗୁଡିକ ମାନିବାକୁ ମଧ୍ୟ କହିଛନ୍ତି ।

Related Posts