ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୌଣସି ଅପରାଧିକ ମାମଲାର ତ୍ଵରିତ ଶୁଣାଣି ବା ସ୍ପିଡ ଟ୍ରାୟଲ ଜଣେ ନାଗରିକର ମୌଳିକ ଅଧିକାର ବୋଲି କହିଛନ୍ତି ମାନ୍ୟବର ହାଇକୋର୍ଟ। ବିନା ଟ୍ରାଏଲ୍‌ରେ ଜଣଙ୍କୁ ଦୀର୍ଘଦିନ ଜେଲ୍‌ରେ ରଖାଯିବା ଯୁକ୍ତିଯୁକ୍ତ ନୁହେଁ।ଏହା ନାଗରିକଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ହାଇକୋର୍ଟର ଡକ୍ଟର୍‌ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ। ଏକ ଜାମିନ ଆବେଦନର ଶୁଣାଣି କରି ମାନ୍ୟବର କୋର୍ଟ ଏହା କହିଛନ୍ତି ଏବଂ ମାମଲାର ତ୍ବରିତ୍‌ ଶୁଣାଣି ଉପରେ ଗୁରୁତ୍ବାରୋପ କରିଛନ୍ତି।

୨୦୨୦ ମାର୍ଚ୍ଚ ମାସ ୭ତାରିଖରୁ ଗଜପତି ଜିଲ୍ଲା ଆର୍‌. ଉଦୟଗିରି ଥାନା ଦ୍ବାରା ଗିରଫ ହୋଇ ଅଭିଯୁକ୍ତ କିଶୋର ବୀର ଜେଲ୍‌ରେ ଥିବାବେଳେ ଏପର୍ଯ୍ୟନ୍ତ ମାମଲାର ଟ୍ରାଏଲ୍‌ ଆରମ୍ଭ ହୋଇନାହିଁ। ଏଭଳି ଘଟଣାରେ ଉଦ୍ଦବେଗ ପ୍ରକାଶ କରି ହାଇକୋର୍ଟ ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।