ପ୍ରଥମେ ଗମାଙ୍ଗ ଏବେ ପାଙ୍ଗୀ: ଓଡ଼ିଶା ଉପରେ କେସିଆରଙ୍କ ଆଖି

ଭୁବନେଶ୍ୱର,୧୭/୧(ସତ୍ୟପାଠ ବ୍ୟୁରୋ): ପ୍ରଥମେ ଗମାଙ୍ଗ ଏବେ ପାଙ୍ଗୀ। ଓଡ଼ିଶା ଉପରେ କେସିଆରଙ୍କ ଆଖି। ନିକଟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ସଭାପତି କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଜଣେ କୋରାପୁଟର ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କେସିଆରଙ୍କୁ ଭେଟିଛନ୍ତି। ପାଙ୍ଗୀ କେସିଆରଙ୍କ ସହିତ ତାଙ୍କର ସାକ୍ଷାତ ଫଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ଏହି ଦୁଇ ବିଜେପି ନେତା ଏବେ ଦଳରେ ଏକପ୍ରକାର କୋଣଠେସା ହୋଇ ରହିଛନ୍ତି। ଦକ୍ଷିଣ ଓଡ଼ିଶା ରାଜନୀତିରେ ଏହି ଦୁଇ ପରିଚିତ ନାଁ ଜଣେ ପରେ ଜଣେ କେସିଆରଙ୍କୁ ଭେଟିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏଥିସହ ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ତେଲେଙ୍ଗାନାର ଶାସକ ଦଳ ବିଆରଏସ ଓଡ଼ିଶାରେ ପଦ ଚିହ୍ନ ରଖିବାକୁ ଆଗ୍ରହ ଦେଖାଉଥିବା ଆଭାସ ମିଳିଛି। ରାଜ୍ୟ ରାଜନୀତିର ଏହି ଦୁଇ ଆଦିବାସୀ ନେତା ଯଦିଓ ଏବେ ବିଧାୟକ କିମ୍ବା ସାଂସଦ ପଦରେ ନାହାନ୍ତି। ହେଲେ ଆଗାମୀ ଦିନରେ ଏହି ଦୁଇ ନେତାଙ୍କୁ ନେଇ କେସିଆର ଓଡ଼ିଶାରେ ପ୍ରବେଶ ପାଇଁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ଯଦିଓ ପାଙ୍ଗୀ କେସିଆରଙ୍କ ଦଳରେ ଯୋଗ ଦେବେ କି ନାହିଁ ସ୍ପଷ୍ଟ କରିନାହାନ୍ତି କିନ୍ତୁ ଏହି ଦୁଇ ନେତା ଆଗାମୀ ଦିନରେ ବିଆରଏସର ମଙ୍ଗ ଧରିବେ ବୋଲି କୁହାଯାଉଛି।

ଜୟରାମ ପାଙ୍ଗୀ ଜନତା ଦଳରୁ ରାଜନୀତିକ କ୍ୟାରିୟର ଆରମ୍ଭ କରି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପରେ ସେ ବିଜେଡିରେ ଯୋଗ ଦେଇ ପାର୍ଟି ଟିକେଟରେ ବିଧାୟକ ଓ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଗତ ଲୋକସଭା ନିର୍ବାଚନରେ କୋରାପୁଟ ଆସନରୁ ବିଜେପି ଟିକେଟ ରେ ଲଢି ହାରିଥିଲେ। ଏବେ ପାଙ୍ଗୀ ରାଜନୀତିରୁ ଦୂରେଇ ଯାଇ ‘ଦାଣ୍ଡକାରଣ୍ୟ ପାର୍ବତମାଳା ବିକାଶ ପରିଷଦ’ ଗଠନ କରି ସଙ୍ଗଠନ ର ସଭାପତି ପଦରେ ରହିଛନ୍ତି।

ତେବେ ଦେଶର ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀ ତଥା ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଢିବାକୁ ପ୍ରୟାସ କରୁଛନ୍ତି କେସିଆର। ବିଭିନ୍ନ ରାଜନୈତିକ ଦଳ ଏବଂ ମୋଦୀ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ସେ ଚେଷ୍ଟା କରୁଛନ୍ତି। ଏହାରି ଭିତରେ ନିଜ ଦଳକୁ ସାରା ଦେଶରେ ପହଞ୍ଚାଇବାକୁ ଯାଇ ଦଳର ନାମ ତେଲେଙ୍ଗାନା ରାଷ୍ଟ୍ର ସମିତିରୁ ଭାରତ ରାଷ୍ଟ୍ର ସମିତିକୁ ସେ ପରିବର୍ତ୍ତନ କରିଛନ୍ତି।

ଗତ ଡିସେମ୍ବର ୨୦୨୨ରେ, ନିର୍ବାଚନ ଆୟୋଗ ତାଙ୍କ ଦଳର ନାମ ପରିବର୍ତ୍ତନକୁ ଅନୁମୋଦନ ମଧ୍ୟ କରିଛନ୍ତି। ଏହା ପରେ ଦଳର ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଜ ଦଳକୁ ବିଭିନ୍ନ ରାଜ୍ୟରେ ପ୍ରବେଶ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

Related Posts