ୟୁପି ବିଜେପିରେ ଅଲ୍ ଇଜ୍ ନଟ୍ ୱେଲ୍ : କ୍ୟାବିନେଟ ମନ୍ତ୍ରୀ କହିଲେ – ” କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଆସନ୍ତା ବର୍ଷ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କ୍ୟାମ୍ପରେ ରାଜ୍ୟ ନେତୃତ୍ୱକୁ ନେଇ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ଉତ୍ତରପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ୟୁପିରେ ବିଜେପି ପାଇଁ ସମସ୍ତ ବିକଳ୍ପ ଖୋଲା ଅଛି, ମୁଖ୍ୟମନ୍ତ୍ରୀ କେହି ବି ହୋଇପାରନ୍ତି । ତେବେ ପରବର୍ତ୍ତୀ ସମୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ। ଆଗାମୀ ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଦାବିଦାର ହୋଇପାରନ୍ତି କିମ୍ବା ନୂତନ ଚେହେରା ମଧ୍ୟ ହୋଇପାରନ୍ତି। ଏଥିରୁ ଦଳୀୟ କନ୍ଦଳ ଏବଂ ରାଜ୍ୟ ନେତୃତ୍ୱଙ୍କୁ ନେଇ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡୁଛି। ଇଣ୍ଡିଆ ଟୁଡେ ସହ ଏକ ସାକ୍ଷାତକାରରେ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, 2022 ମସିହାରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା କେବଳ କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ। ସେ କହିଛନ୍ତି ଯେ 2017 ରେ ଦଳର କୌଣସି ଚେହେରା ନଥିଲା। ନିର୍ବାଚନ ଫଳ ପ୍ରକାଶ ପାଇବ ପରେ କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତ୍ତି ନେଇଥିଲେ । ସେହିପରି ବର୍ତ୍ତମାନ ସମୟରେ ମଧ୍ୟ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବେ କିମ୍ବା ନିର୍ବାଚନରେ ​​ଜିତିବା ପରେ ଆଉ କେହି ନେତା ହୋଇପାରନ୍ତି ତାହା ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ। ସେ କହିଛନ୍ତି “ମୁଁ ବ୍ୟକ୍ତିଗତ ଭାବେ କହିପାରେ ଯେ 2022 ନିର୍ବାଚନ ପରେ ହିଁ ସବୁକିଛି ସ୍ଥିର ହୋଇପାରିବ। ଚେହେରା କେବଳ ବିଧାୟକ ଦଳର ବୈଠକ ଦ୍ୱାରା ସ୍ଥିର ହେବ।” କିଛି ଦିନ ପୂର୍ବେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ କହିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନରେ କିଏ ଚେହେରା ହେବ ତାହା କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ। ଆସନ୍ତା ବର୍ଷ 2022 ଉତ୍ତରପ୍ରଦେଶ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।

Related Posts