ଶିବସେନା ସହ ସେତେବେଳେ ଗଠବନ୍ଧନ ସମ୍ଭବ ଯେତେବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ସମ୍ପର୍କରେ ବିଚାର କରିବେ : ମହାରାଷ୍ଟ୍ର ବିଜେପି ସଭାପତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ଠାରୁ ଅଲଗା ହୋଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନାର ବିଧାୟକ ପ୍ରତାପ ସାରନାଇକଙ୍କ ଚିଠି ଏବେ ମହାରାଷ୍ଟ୍ର ରାଜନିତୀରେ ଝଡ ସୃଷ୍ଟି କରିଛି। ରବିବାର ଦିନ ଏହି ଚିଠି ଭାଇରାଲ ହେବା ପରେ ମହାରାଷ୍ଟ୍ର ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇ ଉଠିଛି। ଦଳର ନେତାମାନଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହଇରାଣରୁ ରକ୍ଷା କରିବା ପାଇଁ ଶିବସେନା ପୁଣିଥରେ ବିଜେପି ସହ ହାତ ମିଳାଇବା ଭଲ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ଏହା ପରେ ମହା ବିକାଶ ଅଘାଡୀ ସରକାରରେ ହଲଚଲ ଆରମ୍ଭ ହୋଇଥିଲା। ତେବେ ଶିବସେନା ବିଧାୟକଙ୍କ ଏହି ଚିଠି ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ବିଚାର କରନ୍ତି ତେବେ ବିଜେପି ନେତୃତ୍ୱ ଏ ନେଇ ଚିନ୍ତା କରିବେ। ସେ କହିଛନ୍ତି ଯେ “ପ୍ରତାପ ସାରନାଇକ ଜଣେ ଶିବସେନା ନେତା ତଥା ବିଧାୟକ। ସେ ତାଙ୍କ ଦଳର ମୁଖିଆଙ୍କୁ ଏକ ଚିଠି ଲେଖି ବିଜେପି ସହ ମେଣ୍ଟ କରିବାକୁ ଆହ୍ବାନ ଦେଇଛନ୍ତି, ଯଦି ଉଦ୍ଧବ ଠାକରେ ମଧ୍ୟ ସମାନ ଆଭିମୁଖ୍ୟ ରଖନ୍ତି ତେବେ ଏହି ବିଷୟରେ ଚିନ୍ତା କରାଯିବ ବୋଲି ପାଟିଲ କହିଛନ୍ତି। ପାଟିଲ କହିଛନ୍ତି ଯଦି ବିଜେପି ଗଠବନ୍ଧନ ସମ୍ପର୍କରେ କିଛି ବି ସକରାତ୍ମକ କଥା କୁହେ ତେବେ ସାମନାରେ ଏହାର ପରିହାସ କରାଯାଏ। ବିଜେପି କ୍ଷମତା ଲୋଭୀ ବୋଲି କହି ଶିବସେନା ଆମର ମଜାକ୍ ଉଡାଏ ବୋଲି ପାଟିଲ କହିଛନ୍ତି । ଦୀର୍ଘ ୧୮ ମାସ ଧରି ବିଜେପି ଯେଉଁ କଥା କହୁଛି ସାରନାଇକ ସେହି କଥା କହିଛନ୍ତି ବୋଲି ପାଟିଲ କହିଛନ୍ତି । ମହା ବିକାଶ ଅଘାଡୀ ସରକାରକୁ ଟାର୍ଗେଟ କରି ବିଜେପି ନେତା କହିଛନ୍ତି ଯେ , “ଏହା ଏକ ଅବୈଜ୍ଞାନିକ ଗଠବନ୍ଧନ (ସେନା, କଂଗ୍ରେସ ଏବଂ ଏନସିପି)। ବାଲାସାହେବ ଠାକରେ ତାଙ୍କ ଜୀବନସାରା କଂଗ୍ରେସ ଏବଂ ଏନସିପି ସହ ଲଢେଇ କରିଥିଲେ ଏବଂ ବର୍ତ୍ତମାନ ଶିବସେନା ସେହି ଦଳ ସହ ମେଣ୍ଟ କରିଛି । ଏହି ଚିଠିରେ ପ୍ରତାପ ମହାବିକାଶ ଅଘାଡ଼ି ଦଳରେ ଥିବା କଂଗ୍ରେସ ଓ ଏନସିପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏକାକୀ କର୍ପୋରେସନ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରୁଥିବା ବେଳେ ଏନସିପି ଓ ଅନ୍ୟ ସହଯୋଗୀ ଦଳଗୁଡ଼ିକ ଶିବସେନାକୁ ଭାଙ୍ଗି ଏହାର ବିଧାୟକଙ୍କୁ ନିଜ ପାଖକୁ ନେବାକୁ ପ୍ରଲୋଭିତ କରୁଛନ୍ତି। ଏନସିପି ଏବଂ କଂଗ୍ରେସ ବିଧାୟକ ମାନେ ସେମାନଙ୍କ କାମ କରିନେଉଛନ୍ତି । ବିଧାନ ପରିଷଦରେ ବିରୋଧୀଦଳ ନେତା ପ୍ରବୀଣ ଡାରେକର କହିଛନ୍ତି, “କେବଳ ସାରନାଇକ ନୁହେଁ, ଅନେକ ଶିବସେନା ନେତା ଏହି ଗଠବନ୍ଧନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଭାବରେ, ସେମାନେ ସେମାନଙ୍କର ହୃଦୟ କଥା କୁହନ୍ତି। କିନ୍ତୁ ଏହା ହେଉଛି ପ୍ରଥମ ଚିଠି। ଅସନ୍ତୁଷ୍ଟ ଶିବସେନା ନେତାଙ୍କଠାରୁ ଆଗକୁ ଆହୁରି ଅନେକ କିଛି ଆସିବ ବୋଲି ସେ କହିଛନ୍ତି । ” ଅନ୍ୟ ଜଣେ ବିଜେପି ନେତା କିରିଟ ସୋମାୟା କହିଛନ୍ତି, “ସାରନାଇକ ଜେଲ ଯିବାକୁ ଭୟ କରୁଛନ୍ତି ଏବଂ ସେଥିପାଇଁ ସେ ଏହି ଚିଠି ଲେଖିଛନ୍ତି। ସେ ଦୁର୍ନୀତି କରିଛନ୍ତି ଏବଂ ସେ ଖୁବଶୀଘ୍ର ଜେଲ ଯିବେ। ” ଏପଟେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, “ଚିଠିରେ ଉଲ୍ଲେଖ ଥିବା ଗୁରୁତ୍ୱପୂର୍ଣ୍ଣ ଅଂଶଟି ହେଉଛି ଯେ ମେଣ୍ଟ ସରକାରରେ ଥିବା ନେତା ମାନଙ୍କୁ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହଇରାଣ କରାଯାଉଛି। ଏହା ଉପରେ ବିଚାର କରାଯିବ। “

Related Posts