ଦିନକୁ ଦିନ କୋଟିଆରେ ବଢୁଛି ଆନ୍ଧ୍ରର ଦାଦାଗିରି : ବାଚ୍ଚସ୍ପତି କହିଲେ, ” ସେମିତି କିଛି ବଡ ସମସ୍ୟା ନାହିଁ “

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏକ ବିବାଦୀୟ ପ୍ରସଙ୍ଗ ହେଉଛି କୋଟିଆ ସମସ୍ଯା। କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସରକାରୀ ବିଭାଗ ପଦାଧିକାରୀ ବାରମ୍ବାର ଅନୁପ୍ରବେଶ କରୁଛନ୍ତି। ଆନ୍ଧ୍ର ସରକାରଙ୍କ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ଦାଦାଗିରି ଦେଖାଇ ନିୟମିତ ଉକ୍ତ ପଞ୍ଚାୟତକୁ ପୁଲିସ ପ୍ରଶାସନ ଗସ୍ତ କରି ଲୋକଙ୍କଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଦାବିପତ୍ର ଗ୍ରହଣ କରୁଛନ୍ତି।

ଏଭଳି ଭାବେ କୋଟିଆରେ ଲାଗାତାର ଆନ୍ଧ୍ରପ୍ରଦେଶ ଦାଦାଗିରି ଦେଖାଇ ଆସୁଛି। କେତେବେଳେ ଭୋଟ୍ କରାଉଛି ତ ପୁଣି କେତେବେଳେ ସରକାରୀ ଯୋଜନାର ସହାୟତା ଯୋଗାଉଛି। ତେବେ ଏ ପ୍ରସଙ୍ଗରେ ବିରୋଧୀ କ୍ରମାଗତ ଭାବେ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ତେବେ ଏହି ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଯେ , ” କୋଟିଆରେ ସେମିତି କିଛି ବଡ ସମସ୍ୟା ନାହିଁ । ରାଜସ୍ବ ବିଭାଗର ସଚିବ ଓ ଆରଡିସି କମିଟି ସେଠାକୁ ଯାଇ ସ୍ଥିତି ଦେଖିଛନ୍ତି । ” କେବଳ ଏତିକି ନୁହେଁ ସେଠାରେ (କୋଟିଆ) ସ୍ଥିତି ସେତେଟା ଖରାପ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ପାତ୍ର କହିଛନ୍ତି । ଯେଉଁ ଅଞ୍ଚଳ ଗୁଡିକ ଆମ ନିୟନ୍ତ୍ରଣ ଭିତରେ ରହିଛି ସେଠି ଉନ୍ନୟନ କାର୍ଯ୍ୟ ଚାଲିଛି । ଏ ପ୍ରସଙ୍ଗରେ ବାଚସ୍ପତି ନିଜେ କୋରାପୁଟ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ବୋଲି ସେ କହିଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ରହିଥିବାରୁ ବିଧାୟକମାନେ ବ୍ୟସ୍ତ ରହିଛନ୍ତି । ତେଣୁ ଏହି ସ୍ଥିତି ସୁଧୁରିବା ପରେ ଗୃହ କମିଟି ପକ୍ଷରୁ ବୈଠକ ଡ଼କାଯାଇ କୋଟିଆ ଅଞ୍ଚଳକୁ ପରିଦର୍ଶନରେ ଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚ୍ଚସ୍ପତି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଆନ୍ଧ୍ର ସରକାର ବର୍ତ୍ତମାନ ଓଡ଼ିଶାର କୋଟିଆ ପଞ୍ଚାୟତବାସୀଙ୍କୁ ନିଜ ଅଧୀନରେ ରଖିବାକୁ ନୂତନ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପୁଲିସ ପ୍ରଶାସନ ମାଧ୍ୟମରେ ଗତ ୬ ତାରିଖଠାରୁ ସୀମାନ୍ତ ଗ୍ରାମରେ ଜନଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ କରି ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଦାବିପତ୍ର ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

Related Posts