ଟିଏମସିରେ ସାମିଲ୍ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କଣ୍ଠଶିଳ୍ପୀରୁ ରାଜନେତା ପରେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିଜେପି ନେତା ବାବୁଲ ସୁପ୍ରିୟୋ ଶେଷରେ ଆଜି ଟିଏମସିରେ ସାମିଲ ହୋଇଛନ୍ତି। ବାବୁଲ ସୁପ୍ରିଓ ନରେନ୍ଦ୍ର ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ। ତେବେ ଗତ କିଛିଦିନ ତଳେ ହୋଇଥିବା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ସମୟରେ ତାଙ୍କୁ ବାଦ୍ ଦିଆଯାଇଥିଲା। ଏହା ପରଠାରୁ ସେ ଅସନ୍ତୁଷ୍ଟ ଥିଲେ। ନିକଟରେ ବିଜେପିରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। ଆଉ କୌଣସି ଦଳକୁ ଯିବେ ନାହିଁ ବୋଲି ମଧ୍ୟ କହିଥିଲେ। 

ଏକ ଫେସବୁକ ପୋଷ୍ଟରେ ସେ କହିଥିଲେ ଯେ,  “ଅଲବିଦା। ମୁଁ କୌଣସି ରାଜନୀତିକ ଦଳକୁ ଯାଉନାହିଁ। ଟିଏମସି, କଂଗ୍ରେସ କିମ୍ବା ସିପିଆଇଏମକୁ ଯାଉନି। ମୁଁ ଏଠାରେ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋତେ କେହି ବି ଡାକି ନାହାନ୍ତି। ତେଣୁ ମୁଁ କେଉଁ ଦଳରେ ମିଶିବିନି। ମୁଁ ୱାନ ଟିମ୍‌ ପ୍ଲେୟାର। ସବୁବେଳେ ଗୋଟିଏ ଟିମକୁ ସମର୍ଥନ କରେ। ସେହି ଦଳ ହେଲା ମୋହନ ବାଗନ। ମୁଁ ସବୁବେଳେ ଗୋଟିଏ ଦଳରେ ରହିଛି। ସେଇଟା ହେଲା ବିଜେପି-ପଶ୍ଚିମବଙ୍ଗ। ବାସ ଏତିକି।’ ଏକ ମାସ ମଧ୍ୟରେ ସେ ତାଙ୍କ ସରକାରୀ ବାସଭବନ ଛାଡିବେ ବୋଲି ମଧ୍ୟ କହିଥିଲେ। ସେ ମଧ୍ୟ ସାଂସଦ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଘୋଷଣା କରିଥିଲେ ।  

ତାଙ୍କ ଘୋଷଣା ପରେ ତାଙ୍କ ପ୍ରଶଂସକ ଏବଂ ଦଳର ନେତାଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗର ଆସାନସୋଲରୁ ବିଜେପି ଟିକେଟ୍ ରେ ନିର୍ବାଚନ ଲଢି ସାଂସଦ ହୋଇଥିବା ବାବୁଲ ସୁପ୍ରିଓ ରାଜନୀତିରେ ଯୋଗଦେବା ପୂର୍ବରୁ ଜଣେ ପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର ଥିଲେ।  ନିକଟରେ ଅନୁଷ୍ଠିତ ବେଙ୍ଗଲ ବିଧାନସଭା ନିର୍ବାଚନରେ ​​ତାଙ୍କୁ ଦଳ ଟଲିଗୁଞ୍ଜ ଆସନରୁ ନିର୍ବାଚନକୁ ଓହ୍ଲାଇ ଥିଲା। କିନ୍ତୁ ସେ ହାରି ଯାଇଥିଲେ। କିଛି ଦିନ ପରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା।  ସେବେଠାରୁ ସେ ଦଳର ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଥିଲା।

ସେ ଆଜି ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓବ୍ରାୟନଙ୍କ ଉପସ୍ଥିତିରେ ସେ ଟିଏମ୍‌ସିରେ ମିଶିଛନ୍ତି। ବାବୁଲ ୨୦୧୪ରୁ ୨୦୧୬ ଯାଏ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୧୬ ଜୁଲାଇରୁ ୨୦୧୯ ମେ’ ମାସ ଯାଏ ତାଙ୍କୁ ଭାରୀ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୧୯ରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଫେରିବା ପରେ ବାବୁଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ତେବେ ନିକଟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ବାବୁଲଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। 

Related Posts