କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ସରକାରଙ୍କ ଦୃଷ୍ଟିଗୋଚର ହୋଇନି; ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ କୋଟିଆରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରି ସହାୟତା ବାଣ୍ଟିବାରେ ଲାଗିଛି । କେତେବେଳେ ଭତା ବାଣ୍ଟୁଛି ତ ଆଉ କେତେବେଳେ ଜଙ୍ଗଲ ଜମି ପଟ୍ଟା ଦେଉଛି । ଏହା ସମସ୍ତେ ଜାଣିଛନ୍ତି । ଗଣମାଧ୍ୟମରେ ଏ ଖବର ଅନେକ ଥର ବାରମ୍ବାର ପ୍ରସାରିତ ହେଉଛି । ବିରୋଧୀ ଦଳ ଓ କଂଗ୍ରେସ ବିଧାୟକ ଏ ନେଇ ବିଧାନସଭାରେ ପ୍ରଶ୍ନ ଉଠାଉଛନ୍ତି । କିନ୍ତୁ ସରକାରଙ୍କ ପାଖରେ ଏ ନେଇ କିଛି ଖବର ନାହିଁ । ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ କିଛି ବି ଜାଣିନାହାନ୍ତି । ସେପଟେ ଗତକାଲି ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏଭଳି କହିଛନ୍ତି ।

ଖଣ୍ଡପଡା ବିଧାୟକଙ୍କ ପ୍ରଶ୍ନ ଥିଲା, କୋଟିଆ ଗ୍ରାମପୁଞ୍ଜ ସମେତ ଓଡିଶାର ସୀମାନ୍ତବର୍ତୀ ଗାଁ ଲୋକଙ୍କୁ ଆନ୍ଧ୍ର ସରକାର ଭୋଟର ପରିଚୟ ପତ୍ର, ରାସନ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଜାତି ପ୍ରମାଣପତ୍ର ଓ ବିଭିନ୍ନ ସରକାରୀ ଯୋଜନାର ସମାନ୍ତରାଳ ସହାୟତା ଦେଉଥିବା ସରକାର ଜାଣନ୍ତି କି, ଯଦି ହଁ ସରକାର କି ପଦକ୍ଷେପ ନେଇଛନ୍ତି ଜଣାନ୍ତୁ । ଏହା ଉତ୍ତରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ଏଭଳି କିଛି ଦୃଷ୍ଟିଗୋଚର ହୋଇନାହିଁ । ଜଣାପଡିଲେ କାର୍ୟ୍ୟାନୁଷ୍ଠାନ ହେବ । କୋଟିଆ ସମ୍ପର୍କରେ ସରକାରଙ୍କ ଏଭଳି ଉତ୍ତର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଯାହାକୁ ନେଇ ଆଜି ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ।

Related Posts