ଆଶରଫ ଘନିଙ୍କୁ ଭାରତରେ ଶରଣ ଦିଆଯିବା ଉଚିତ୍ : ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ଆଶରଫ ଘନି ବିମାନ ଯୋଗେ ୟୁଏଇରେ ଶରଣ ନେଇଛନ୍ତି। ତେବେ ଆଫଗାନିସ୍ତାନରେ ଯେଉଁ ଭଳି ଭାବେ ଘଟଣା କ୍ରମ ତୀବ୍ର ଗତିରେ ବଦଳିବାରେ ଲାଗିଛି ତାକୁ ନେଇ ଏବେ ଭାରତର ଚିନ୍ତା ବଢିବାରେ ଲାଗିଛି। ଭାରତ ସର୍ବଦା ତାଲିବାନକୁ ବିରୋଧ କରିଆସୁଛି। 

ଏହି କାରଣରୁ ତାଲିବାନ ଏବଂ ଭାରତ ମଧ୍ୟରେ ଭବିଷ୍ୟତର ସମ୍ପର୍କକୁ ନେଇ ଏବେ ଅନେକ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଏହା ମଧ୍ୟରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦୀର୍ଘ ଦିନ ଧରି ବିଜେପି ବିରୋଧରେ ବିଷୋଦଗାରା କରୁଥିବା ସ୍ବାମୀ କହିଛନ୍ତି ଯେ ଆଶରଫ ଘାନିଙ୍କୁ ଭାରତ ଆଶ୍ରୟ ଦେବା ଉଚିତ୍।

ସୁବ୍ରମଣ୍ୟମ ସ୍ବାମୀ ଗୁରୁବାର ଟ୍ୱିଟ କରି କହିଛନ୍ତି ଯେ ,” ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଆଶରଫ ଘାନିଙ୍କୁ ଭାରତରେ ଆଶ୍ରୟ ଦେବାକୁ ନିମନ୍ତ୍ରଣ କରାଯିବା ଉଚିତ। ସେ ଅପେକ୍ଷାକୃତ ଉଚ୍ଚଶିକ୍ଷିତ ଏବଂ ଭବିଷ୍ୟତର ପ୍ରବାସୀ ଆଫଗାନିସ୍ତାନ ସରକାର ଗଠନ କରିବାରେ ଭାରତକୁ ସାହାଯ୍ୟ କରିପାରିବେ ଯେତେବେଳେ ତାଲିବାନ ପାକ୍ ଅଧିକୃତ କାଶ୍ମୀରରେ ଆଧୁନିକ ଆମେରିକୀୟ ଅସ୍ତ୍ରଶସ୍ତ୍ର ନେଇ ଅନୁପ୍ରବେଶ କରିବ।”

ତେବେ ଏହା ପ୍ରଥମ ଥର ନୁହେଁ ଯେ ସୁବ୍ରମଣ୍ୟମ ସ୍ବାମୀ ତାଲିବାନ ବିଷୟରେ କିଛି କହିଛନ୍ତି।  ଦୁଇ-ତିନି ଦିନ ପୂର୍ବେ ସୁବ୍ରମଣ୍ୟମ ସ୍ବାମୀ ଭାରତ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ପୂର୍ବରୁ ଲଦାଖରେ ଚୀନ୍ ସମ୍ମୁଖରେ ଭାରତ ଦୁର୍ବଳ ଥିଲା ଏବଂ ବର୍ତ୍ତମାନ ତାଲିବାନ ସାମ୍ନାରେ ଦୁର୍ବଳ ହୋଇପଡୁଛି। ଏହା ଆମର ଭାବମୂର୍ତ୍ତି ପାଇଁ କ୍ଷତିକାରକ । ଏହା ପୂର୍ବରୁ ସେ ଅନ୍ୟ ଏକ ଟୁଇଟରେ ମଧ୍ୟ କହିଥିଲେ ଯେ ତାଲିବାନ, ପାକିସ୍ତାନ ଏବଂ ଚୀନ୍ ମିଳିତ ଭାବେ ଭାରତ ଉପରେ ଆକ୍ରମଣ କରିପାରନ୍ତି। 

ଅପରପକ୍ଷରେ ରାଷ୍ଟ୍ରପତି ଆଶରଫ ଘନି ଦେଶ ଛାଡିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ୟୁଏଇରୁ ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ‘ଯଦି ମୁଁ କାବୁଲରେ ରହିଥାନ୍ତି ତେବେ ଏକ ରକ୍ତପାତ ହୋଇଥାନ୍ତା। ସୁରକ୍ଷା କାରଣରୁ ମୁଁ ଆଫଗାନିସ୍ତାନଠାରୁ ଦୂରରେ ଅଛି । ଘାନି କହିଛନ୍ତି ଯେ ଯେଉଁମାନେ ତାଙ୍କୁ ପଳାତକ ବୋଲି କହୁଛନ୍ତି ସେମାନେ ତାଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ମୁଁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଥିଲି।’ଏତଦ୍ ବ୍ୟତୀତ ଟଙ୍କା ଭର୍ତ୍ତି ବ୍ୟାଗ୍‌ କାର୍‌ ଓ ହେଲିକପ୍ଟରରେ ନେଇ ପଳାଇଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। 

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୫ ତାରିଖ ଦିନ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରିଥିଲା। ସେହି ସମୟରେ ଘନି ପରିବାର ସଦସ୍ୟଙ୍କ ସହ ଦେଶ ଛାଡ଼ି ଚାଲି ଯାଇଥିଲେ। ଘନି ଏବେ ୟୁଏଇରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି। ୟୁଏଇ ସରକାର ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ଘନି ଓ ତାଙ୍କ ପରିବାରକୁ ଦେଶରେ ସ୍ୱାଗତ କରିଥିବା କହିଛନ୍ତି।

Related Posts