ନଡ୍ଡାଙ୍କୁ ଭେଟିବା ପରେ ୟୁ-ଟର୍ଣ୍ଣ ମାରିଲେ ବାବୁଲ ସୁପ୍ରିଓ, କହିଲେ ” ସାସଂଦ ପଦରେ ରହିବି, ଛାଡିବିନି ବିଜେପି “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସିଙ୍ଗରରୁ ରାଜନେତା ବନିଥିବା ବିଜେପି ନେତା ବାବୁଲ ସୁପ୍ରିୟୋ ନିଜର ମତ ବଦଳାଇବାରେ ଲାଗିଛନ୍ତି। ତିନି ଦିନ ପୂର୍ବରୁ ରାଜନିତୀକୁ ବାଏ ବାଏ କରିଥିବା ବାବୁଲ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିବା ପରେ ସେ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ରାଜନୀତିକୁ ଫେରିବେ ବୋଲି ପୁଣି ଥରେ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, “ରାଜନୀତିରେ ସକ୍ରିୟ ନ ରହି ମଧ୍ୟ ମୁଁ ମୋର ସାମ୍ବିଧାନିକ କର୍ତ୍ତବ୍ୟ କରିବି। ମୁଁ ସାଂସଦ ପଦରେ ରହିବି।”

ଶନିବାର ବାବୁଲ ରାଜନୀତିକୁ ହଠାତ୍‌ ବାଏବାଏ କହିବାରୁ ବେଙ୍ଗଲ ବିଜେପି କ୍ୟାମ୍ପରେ ହଲଚଲ ସୃଷ୍ଟି ହୋଇଥିଲା। ରାଜନୈତିକ ମହଲରେ ଏ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ରାଜନୀତି ଛାଡ଼ିବା ପଛରେ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁ ସେ ଟାର୍ଗେଟ କରି ଥିଲେ। ଏସବୁ ଭିତରେ ଆଜି ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ।

ବିଜେପି ସାଂସଦଙ୍କ ଅବସର ଘୋଷଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ବାବୁଲ ସୁପ୍ରିଓ ଏବଂ ବିଜେପି ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚର୍ଚ୍ଚା ହେଉଥିଲା ଯେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେଇ ପାରନ୍ତି। କିନ୍ତୁ ବର୍ତ୍ତମାନ ସୁପ୍ରିଓ ନିଜେ ସ୍ପଷ୍ଟ କରିଛନ୍ତି ଯେ ସେ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ। ସୁପ୍ରିଓ କହିଛନ୍ତି, “ରାଜନୀତି ସାମ୍ବିଧାନିକ ପଦକୁ ନେଇ ଥିଲା, ଯେଉଁଥିରୁ ମୁଁ ନିଜକୁ ପ୍ରତ୍ୟାହାର କରି ନେଇଛି। ମୁଁ ଅନ୍ୟ କୌଣସି ଦଳରେ ଯୋଗ ଦେଉ ନାହିଁ। ମୁଁ ସାଂସଦ ଭାବରେ ଦିଲ୍ଲୀରେ ପାଇଥିବା ବଙ୍ଗଳାକୁ ଫେରାଇ ଦେବି ଏବଂ ଖୁବ୍ ଶୀଘ୍ର ମୋର ସୁରକ୍ଷା କର୍ମୀ ମଧ୍ୟ ପ୍ରତ୍ୟାହାର କରିବା ପାଇଁ ଆବେଦନ କରିବି। “

ସୂଚନାଯୋଗ୍ୟ, ବାବୁଲ ପଶ୍ଚିମବଙ୍ଗର ଆସନସୋଲରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ। କିନ୍ତୁ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ଶନିବାର ସୋଶାଲ ମିଡିଆରେ ରାଜନୀତିକୁ ଗୁଡବାଏ କହିଥିଲେ।

ସୂଚନାଯୋଗ୍ୟ ଯେ ବାବୁଲ ଫେସବୁକ୍ ପୋଷ୍ଟରେ ଇସ୍ତଫା ଘୋଷଣା କରିବା ଦିନ କହିଥିଲେ ଯେ ମୁଁ କୌଣସି ରାଜନୀତିକ ଦଳକୁ ଯାଉନାହିଁ। ଟିଏମସି, କଂଗ୍ରେସ କିମ୍ବା ସିପିଆଇଏମକୁ ଯାଉନି। ମୁଁ ଏଠାରେ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋତେ କେହି ବି ଡାକି ନାହାନ୍ତି। ତେଣୁ ମୁଁ କେଉଁ ଦଳରେ ମିଶିବିନି। ମୁଁ ୱାନ ଟିମ୍‌ ପ୍ଲେୟାର। ସବୁବେଳେ ଗୋଟିଏ ଟିମକୁ ସମର୍ଥନ କରେ। ସେହି ଦଳ ହେଲା ମୋହନ ବାଗନ। ମୁଁ ସବୁବେଳେ ଗୋଟିଏ ଦଳରେ ରହିଛି। ସେଇଟା ହେଲା ବିଜେପି-ପଶ୍ଚିମବଙ୍ଗ। ଟିଏମସି ବାବୁଲ ସୁପ୍ରିଓଙ୍କ ଏହି ପଦକ୍ଷେପକୁ ଏକ ଡ୍ରାମା ବୋଲି କହିଥିଲା। କେବଳ ଏତିକି ନୁହେଁ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ମଧ୍ୟ ବାବୁଲ ସୁପ୍ରିଓଙ୍କୁ ନେଇ କଡା ପ୍ରତିକ୍ରିୟା ଦେଇଥିଲେ। ଏବଂ ସୁପ୍ରିଓ ମଧ୍ୟ ଏହାର ଜବାବ ଦେଇଥିଲେ।

ପଶ୍ଚିମବଙ୍ଗର ଆସନସୋଲରୁ ୨ ଥର ସାଂସଦ ଥିବା ବାବୁଲ ୨୦୧୪ ରୁ ୨୦୧୬ ଯାଏ ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୧୬ ଜୁଲାଇରୁ ୨୦୧୯ ମେ’ ମାସ ଯାଏ ତାଙ୍କୁ ଭାରୀ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୧୯ରେ ମୋଦି ପୁଣି ଥରେ ସରକାର ଗଢିବା ପରେ ବାବୁଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ତେବେ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଯେଉଁ ୧୨ ଜଣଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ବାବୁଲଙ୍କ ନାଁ ରହିଥିଲା।
ଏହାପରେ ସେ ଫେସବୁକ୍ ଜରିଆରେ କହିଥିଲେ ଯେ ତାଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଥିଲା।

Related Posts