ଆଇନ୍ ଜାଲରେ ଫସିଲେ ବିହାରର ନୂଆ ଆଇନ୍ ମନ୍ତ୍ରୀ; କୋର୍ଟରେ ହାଜର ହେବା ପରିବର୍ତ୍ତେ ନେଲେ ଶପଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ମହାମେଣ୍ଟର ନୂତନ ସରକାର ଗଠନ ହୋଇଛି। ଏହାପରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି ଓ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ ମଧ୍ୟ ଶେଷ ହୋଇଛି। ତେବେ ଏହି ମନ୍ତ୍ରିମଣ୍ଡଳର ଅଧିକାଂଶ ମନ୍ତ୍ରୀ ଆରଜେଡି ସଦସ୍ୟ ଅଟନ୍ତି। ମନ୍ତ୍ରଣାଳୟ ବଣ୍ଟନ ହେବା ମାତ୍ରେ ଆରଜେଡି ନେତା ତଥା ନୂତନ ଭାବେ ଆଇନ ମନ୍ତ୍ରୀ ଦାୟିତ୍ବ ନେଇଥିବା ଏମଏଲସି କାର୍ତ୍ତିକେୟ ସିଂଙ୍କୁ ନେଇ ବିବାଦ ଉପୁଜିଛି। ସେ ଏବେ ରାଜ୍ୟର ନୂଆ ଆଇନମନ୍ତ୍ରୀ ହୋଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଆଇନମନ୍ତ୍ରୀ ଭାବେ ଏବେ ସେ ନିଜେ ଆଇନ ଜାଲରେ ପଡ଼ିଛନ୍ତି। ଏକ ଅପହରଣ ମାମଲାରେ କାର୍ତ୍ତିକେୟ ସିଂଙ୍କ ବିରୋଧରେ କୋର୍ଟଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା। ସେ ଅଗଷ୍ଟ ୧୬ରେ କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା। କିନ୍ତୁ ସେ କୋର୍ଟରେ ହାଜର ହୋଇ ନ ଥିଲେ। ସେଥିପାଇଁ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ମାତ୍ର ସେ କୋର୍ଟରେ ହାଜର ହେବା ପରିବର୍ତ୍ତେ ଅଗଷ୍ଟ ୧୬ରେ ଆଇନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ତେବେ ଏହାକୁ ନେଇ ବିହାରରେ ବିରୋଧୀ ଆସନରେ ବସିଥିବା ବିଜେପି ନୂଆ ସରକାରକୁ ଟାର୍ଗେଟ କରିଛି। ବିଜେପି ପକ୍ଷରୁ କୁହାଯାଇଛି ଯେ ଖୋଦ୍ ରାଜ୍ୟର ଆଇନ ମନ୍ତ୍ରୀ ହିଁ ଆଇନ୍ ଜାଲରେ ଫସିଛନ୍ତି। କେବଳ ଏତିକି ନୁହେଁ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଅଧିକାଂଶ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ଥିବା ବିଜେପି ଅଭିଯୋଗ କରିଛି।

Related Posts