ଜେଡିୟୁରେ ବିଭାଜନ କରିବାକୁ ବିଜେପି ଚକ୍ରାନ୍ତ କରୁଥିବା ଅଭିଯୋଗକୁ ଖଣ୍ଡନ କଲେ ବିଜେପି ସାଂସଦ ଶୁଶୀଲ ମୋଦୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜେଡିୟୁ ରେ ବିଭାଜନ କରିବାକୁ ବିଜେପି ଚକ୍ରାନ୍ତ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ସାଂସଦ ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଶୁଶୀଲ ମୋଦୀ । ସେ କହିଛନ୍ତି ଏ ନେଇ ଜେଡିୟୁ ଯେଉଁ ଆରୋପ ଲଗାଉଛି ତାହା ତୁଚ୍ଛା ମିଛ ଛଡ଼ା ଆଉ କିଛି ନୁହେଁ । ସେହିପରି ଜେଡିୟୁର ବିନା ସମ୍ମତିରେ ଆରସିପି ସିଂଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିବା କଥାକୁ ମଧ୍ୟ ଖଣ୍ଡନ କରିଛନ୍ତି ସୁଶୀଲ ।ବିଜେପି ସହ ସଂପର୍କ ଛିନ୍ନ କରିବାକୁ ଏହା ଏକ ବାହାନା ଛଡ଼ା ଆଉ କିଛି ନୁହେଁ । ତେବେ ୨୦୨୪ରେ ବିଜେପି ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ମଙ୍ଗଳବାରଦିନ ନୀତୀଶ ଏନଡିଏରୁ ଓହରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମଙ୍ଗଳବାର ଅପରାହ୍ଣରେ ରାଜ୍ୟପାଳଙ୍କୁ ଭେଟି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାର ଏକ ଘଣ୍ଟା ପରେ ପୁଣି ଥରେ ରାଜଭବନ ଫେରିଥିଲେ । ଏଥର ସେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ରାଜ୍ୟପାଳଙ୍କୁ ଭେଟି ପ୍ରସ୍ତାବିତ ମହାଗଠବନ୍ଧନ ସରକାରକୁ ସମର୍ଥନ କରୁଥିବା ୧୬୪ ଜଣ ବିଧାୟକମାନଙ୍କ ସମର୍ଥନ ତାଲିକା ପ୍ରଦାନ କରିଥିଲେ ।ଗତ ୭ ବର୍ଷରେ ୨ୟ ଥର ପାଇଁ ନୀତୀଶ କୁମାର ବିଜେପିର ହାତ ଛାଡ଼ିଛନ୍ତି । ୨୦୧୫ରେ ନୀତୀଶ ଏନଡିଏ ଛାଡ଼ି ଆରଜେଡି ସହ ମିଶି ସରକାର ଗଠନ କରିଥିଲେ । କିଛି ବର୍ଷ ପରେ ସେ ପୁଣି ଥରେ ଏନଡିଏକୁ ଫେରିଆସିଥିଲେ ।

Related Posts