ନୀତିଶ କୁମାର ଧୀରେ ଧୀରେ ନିଜ ବିଶ୍ୱସନୀୟତା ହରାଉଛନ୍ତି : ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ କରିବାକୁ ଯାଉଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ମହାମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ଏହି ଘଟଣା କ୍ରମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ କହିଛନ୍ତି ନୂଆ ସରକାରରେ ତାଙ୍କର କୌଣସି ଭୂମିକା ନାହିଁ କି ଏଥିରେ ସେ ମୁଣ୍ଡ ପୂରାଇବାକୁ ଚାହୁଁନାହାନ୍ତି।ତେବେ ବିହାରରେ ଦେଖାଦେଇଥିବା ରାଜନୀତିକ ଓଲଟ ପାଲଟକୁ କିପରି ଦେଖୁଛନ୍ତି ପ୍ରଶ୍ନର ଉତ୍ତରରେ ପ୍ରଶାନ୍ତ କହିଛନ୍ତି ଯେ ନୂଆ ସରକାରରେ ଦୁଇଟି ପ୍ରସଙ୍ଗ ସ୍ଥିରି ରହିଛି। ଗୋଟିଏ ହେଉଛି ମୁଖ୍ୟମନ୍ତ୍ରୀ ଚେହେରା ଅନ୍ୟଟି ହେଉଛି ବାରମ୍ବାର ନୀତୀଶଙ୍କ ସହଯୋଗୀ ଭାବେ ଉଭା ହେଉଥିବା ଦଳ ବଦଳିବା। ସେ ଆହୁରି କହିଛନ୍ତି ୨୦୧୨-୨୦୨୨, ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୬ଥର ସରକାର ଗଠନ ହେବାକୁ ଯାଉଛି। ବିହାରରେ ରାଜନୈତିକ ଅସ୍ଥିରତା ୨୦୧୨ ପାଖରୁ ଲାଗି ରହିଛି। ତେଣୁ ଏବେ ଯାହା ଘଟୁଛି ତାହା ରାଜନୈତିକ ଅସ୍ଥିରତାର ଗୋଟିଏ ଗୋଟିଏ ନୂଆ ଅଧ୍ୟାୟ।

ଏହା ପୂର୍ବରୁ ୨୦୧୫ରେ ଯେତେବେଳେ ମହାମେଣ୍ଟ ସରକାର ଗଠନ ହୋଇଥିଲା ସେତେବେଳେ ପ୍ରଶାନ୍ତ କିଶୋରଙ୍କ ଭୂମିକା ରହିଥିଲା ଏବେ ସମାନ ସରକାର ଆସୁଛି। ତେଣୁ ତାଙ୍କର ଭୂମିକା ସମାନ ରହିଛି କି ପ୍ରଶ୍ନରେ ପିକେ କହିଛନ୍ତି, ସେତେବେଳର ଦୃଷ୍ଟିକୋଣ ଏବଂ ଏବେର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭିନ୍ନ। ପୂର୍ବରୁ ଜେଡିୟୁ ବିହାରରେ ୧୧୫ ଆସନ ଜିତିଥିଲା। ପରେ ୨୦୧୫ରେ ୭୨ଟି ଆସନକୁ ଖସି ଆସିଥିଲା। ଆଉ ଏବେ ୪୩ଟି ଆସନରେ ରହିଛି। ଏପରି ସ୍ଥିତିରେ ନୀତୀଶ କୁମାରଙ୍କର ବିଶ୍ୱସନୀୟତା ଧୀରେ ଧୀରେ କମୁଛି ବୋଲି ପ୍ରଶାନ୍ତ କହିଛନ୍ତି। ୨୦୧୩ରେ ଏନଡିଏ ଛାଡିଥିଲେ ନୀତୀଶ। ଏହି ସମୟରେ ସେ ମୋଦୀଙ୍କ ବିକଳ୍ପ ବୋଲି ଗୋଟିଏ ଧାରାଣା ତିଆରି କରିବାକୁ ପ୍ରୟାସ କରିଥିଲେ। ପରେ ମହାମେଣ୍ଟ ଛାଡି ଏନଡିଏକୁ ଫେରିଆସିଥିଲେ। ଏବେ ଏନଡିଏ ଛାଡି ମହାମେଣ୍ଟ ସରକାର କରୁଛନ୍ତି। କେବଳ ସରକାରରେ ରହିବାକୁ ଏପରି ପ୍ରୟାସ ବୋଲି ନୀତୀଶଙ୍କ ବାବଦରେ କହିଛନ୍ତି ପ୍ରଶାନ୍ତ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଶାନ୍ତ କିଶୋର ପୂର୍ବରୁ ଜେଡିୟୁରେ ଥିଲେ। ନୀତୀଶଙ୍କର ନିକଟତମ ଥିଲେ। କିନ୍ତୁ କ୍ଷମତାକୁ ନେଇ ଦଳ ଭିତରେ ବିବାଦ ଦେଖାଦେବା ପରେ ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚା ବେଳେ ଦିଲ୍ଲୀରେ ନୀତୀଶ ଏବଂ ପ୍ରଶାନ୍ତ ଭେଟଘାଟ ହୋଇଥିଲେ।

Related Posts