ରାଜସ୍ଥାନ ଓ ତେଲେଙ୍ଗାନାରେ ବମ୍ପର ଭୋଟିଂ

2019ର ସେମିଫାଇନାଲ୍‌ କୁହାଯାଉଥିବା 5 ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ ଆଜି ରାଜସ୍ଥାନ ଓ ତେଲେଙ୍ଗାନାରେ ଚାଲିଛି ମତଦାନ । ସକାଳ 8ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା 5ଟା ଯାଏଁ ଚାଲିବ । ଉଭୟ ରାଜ୍ୟରେ ବମ୍ପର ଭୋଟିଂ ହେଉଥିବା ଦେଖାଯାଉଛି । ଦିନ ଗୋଟାଏ ସୁଦ୍ଧା ଉଭୟ ରାଜ୍ୟରେ 42 ପ୍ରତିଶତ ଭୋଟିଂ ହୋଇଛି ।

ରାଜସ୍ଥାନର ୨୦୦ ଆସନ ମଧ୍ୟରୁ ୧୯୯ ଆସନରେ ଆଜି ଚାଲିଛି ଭୋଟିଂ । ରାଜସ୍ଥାନରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି । ବସୁନ୍ଧରା ରାଜେ ସରକାରଙ୍କଠାରୁ କ୍ଷମତା ଛଡ଼ାଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । ଯଦି ଦଳ କ୍ଷମତାକୁ ଆସେ, ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପିସିସି ସଭାପତି ସଚିନ ପାଇଲଟଙ୍କ ମଧ୍ୟରୁ ଜଣେ କେହି ନୂଆ ସରକାରର ନେତୃତ୍ବ ନେଇପାରନ୍ତି ।

ରାଜସ୍ଥାନ ନିର୍ବାଚନୀ ରଣରେ ଏଥର ଅଛନ୍ତି ୨ ହଜାର ୮୦୦ରୁ ଅଧିକ ପ୍ରାର୍ଥୀ । ୪ କୋଟି ୭୭ ଲକ୍ଷ ୮୯ ହଜାର ୮୧୫ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୨୦୧୩ ବିଧାନସଭା ନିର୍ବାଚନରେ ୨୦୦ ଆସନ ମଧ୍ୟରୁ ବିଜେପି ୧୬୩ ଆସନ ପାଇଥିଲା । ମାତ୍ର ୨୧ ଆସନରେ ସନ୍ତୁଷ୍ଟ ହୋଇଥିଲା କଂଗ୍ରେସ ।

ସେହିପରି ତେଲଙ୍ଗାନାରେ ଦ୍ବିତୀୟ ଥର ପାଇଁ ହେଉଛି ବିଧାନସଭା ନିର୍ବାଚନ । ରାଜ୍ୟର ୧୧୯ ଆସନ ପାଇଁ ଚାଲିଛି ଭୋଟିଂ । ୧୧୯ ଆସନ ପାଇଁ ମୋଟ ୧ ହଜାର ୮୨୧ ପ୍ରାର୍ଥୀ ମଇଦାନରେ ଅଛନ୍ତି । ତେଲଙ୍ଗାନା ରାଷ୍ଟ୍ର ସମିତି ସମସ୍ତ ୧୧୯ ଆସନରେ ପ୍ରାର୍ଥୀ ଦେଇଛି । ମହାମେଣ୍ଟର ନେତୃତ୍ବ ନେଇଥିବା କଂଗ୍ରେସ ୯୯ ଆସନରେ ଲଢୁଥିବା ବେଳେ, ସହଯୋଗୀ ଟିଡିପି ୧୩ ଓ ସିପିଆଇ ୩ଟି ଆସନରେ ଲଢୁଛି ।

୧୧୮ ଆସନରେ ପ୍ରାର୍ଥୀ ଦେଇଛି ବିଜେପି । ଶାସକ ତେଲଙ୍ଗାନା ରାଷ୍ଟ୍ରସମିତି -ଟିଆରଏସ୍ ଲଗାତର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି । କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବରେ ଏଥର ମଧ୍ୟ ମଇଦାନକୁ ଓହ୍ଲାଇଛି ଟିଆରଏସ୍‌ । ଦଳ ଏକାକୀ ଲଢୁଥିଲେ ମଧ୍ୟ ଏଆଇଏମ୍‌ଆଇଏମ୍ ସହ ବୁଝାମଣା କରିଛି ।

ଟିଆରଏସ୍‌କୁ ଏଥର ଚ୍ୟାଲେଞ୍ଜ କରୁଛନ୍ତି କଂଗ୍ରେସ, ତେଲଗୁ ଦେଶମ ପାର୍ଟି ଓ ସିପିଆଇ ଦ୍ବାରା ମିଳିତ ଭାବେ ଗଠିତ ମହାକୁଟମୀ ବା ମହାମେଣ୍ଟ । ବିଜେପି ମଧ୍ୟ ନିର୍ବାଚନୀ ମଇଦାନରେ ଅଛି । ବିଜେପି ପୂର୍ବପେକ୍ଷା ନିଜ ଆସନ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ରହିଛି । ୨୦୧୪ ବିଧାନସଭା ନିର୍ବାଚନରେ ତେଲଙ୍ଗାନା ରାଷ୍ଟ୍ରସମିତି ୬୩, କଂଗ୍ରେସ ୨୧, ଟିଡିପି ୧୫, ଏଆଇଏମ୍‌ଆଇଏମ୍ ୭ ଓ ବିଜେପି ୫ଟି ଆସନ ପାଇଥିଲା ।

Related Posts