କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ମୁହାଁମୁହିଁ ଜେରା

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଏକାଠି ଜେରା କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଟିମ୍ ଦୁଇ ଜଣଙ୍କୁ ଜେରା କରୁଛନ୍ତି । ବ୍ୟକ୍ତିଗତ ଜେରା ବେଳେ ଉଭୟଙ୍କ କଥାରେ ତାଳମେଳ ରହୁନଥିବାରୁ ଏକାଠି ଜେରା କରାଯାଉଛି । ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ୍ କ୍ରାଇମବ୍ରାଞ୍ଚ ହାତରେ ବର୍ତ୍ତମାନ ସୁଦ୍ଧା ଲାଗି ନାହିଁ ।

ମେମୋରି ଚିପ୍ ନେଇ ଶର୍ମିଷ୍ଠା ଓ ଝୁନାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଏହା ସହ ନିରଞ୍ଜନଙ୍କ ଡାଏରୀରୁ ମିଳିଥିବା ତଥ୍ୟକୁ ନେଇ ଜେରା କରାଯାଉଛି । ତଦନ୍ତରେ ଉଭୟ ଶର୍ମିଷ୍ଠା ଓ ଝୁନା ଭୋଇ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେରା ସଂପର୍କିତ ସୂଚନା ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଗଣମାଧ୍ୟମକୁ ଦେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପୂର୍ବରୁ କ୍ରାଇମବ୍ରାଞ୍ଚ୍ ନିରଞ୍ଜନ, ରଞ୍ଜନ, ଝୁନା ଓ ଶର୍ମିଷ୍ଠାଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ । କିନ୍ତୁ ୫ ଦିନ ରିମାଣ୍ଡ ଅନୁମତି ମିଳିଥିଲା । ଯାହାର ଅବଧି ଶେଷ ହୋଇଥିବା ବେଳେ, ଗତକାଲି ପୁଣି ଅଭିଯୁକ୍ତ ମାନକୁ ରିମାଣ୍ଡ ରେ ନେବା ପାଇଁ ଅନୁରୋଧ କରିଥିଲା କ୍ରାଇମବ୍ରାଞ୍ଚ | ତେବେ ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ସୂଚନାଯୋଗ୍ୟ ଯେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ପୁଣି ରିମାଣ୍ଡ ଅନୁମତି ମିଳିଛି ।

Related Posts