ଆସନ୍ତା ୧୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାରିପଦା : ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତ କରିବେ । ଏନେଇ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାରିପଦା ମ୍ୟୁନିସିପାଲଟି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କିଭଳି ସଫଳ ହେବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଓ ପୂର୍ବତନ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି ବୈଠକ ପରିଚାଳନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ବିଧାୟକ, ମହିଳା, ଯୁବ ଓ ଛାତ୍ରର ଶତାଧିକ କର୍ମକର୍ତ୍ତା ଉପସ୍ଥିତି ରହିଥିଲେ ।

ମୟୂରଭଞ୍ଜ ଜିଲ୍ଲାର ବହୁ ଦିନର ସ୍ବପ୍ନ ପୂରଣ କରିବା ପାଇଁ ଆସନ୍ତା ୧୨ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଦୁଇଟି ପ୍ରକଳ୍ପ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। କରଞ୍ଜିଆ ବ୍ଲକର ହାତିବାରୀଠାରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ବ୍ଲକର ଟିକପଦାଠାରେ ସୁବର୍ଣ୍ଣରେଖା ପ୍ରକଳ୍ପକୁ ଚାଷୀଙ୍କ ନିମନ୍ତେ ଲୋକାର୍ପଣ ହେବ। ଏହି ପ୍ରକଳ୍ପର ନିର୍ମାଣ ପରେ ପରୀକ୍ଷାମୂଳକ ଭାବେ ଉଭୟ ପାର୍ଶ୍ଵ ବାମ ଓ ଡାହାଣ କେନାଲରେ ପାଣି ଛଡାଯିବ । ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ପାଖାପାଖି ୧୭ ହାଜରରୁ ଉର୍ଦ୍ଧ୍ବ ହେକ୍ଟର ଚାଷ ଜମି ଜଳସେଚିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

Related Posts