କୋଭିଶିଲ୍ଡ ଟିକା ନେବା ପରେ ବି ବଢ଼ୁନି ଆଣ୍ଟିବଡି, ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାଓ୍ୱାଲାଙ୍କ ବିରୋଧରେ ଏଫଆଇଆର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଶିଲ୍ଡ ଟିକା ନେବା ପରେ ବି ଶରୀରରେ ଆଣ୍ଟିବଡି ବଢୁନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ଲକ୍ଷ୍ନୌର ଜଣେ ବ୍ୟକ୍ତି। ସେ ଏଥିପାଇଁ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କୋଭିଶିଲ୍ଟ ଟିକା ନେବା ପରେ ବି ତାଙ୍କ ଶରୀରରେ ଆଣ୍ଟିବଡି ବୃଦ୍ଧି ହେଉନାହିଁ। ତେଣୁ ସେ କମ୍ପାନୀର ସିଇଓ ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଥାନାରେ ପହଞ୍ଚିଛନ୍ତି। ଅଭିଯୋଗକାରୀଙ୍କ ନାଁ ହେଉଛି ପ୍ରତାପ ଚନ୍ଦ୍ର। ସେ ଲକ୍ଷ୍ନୌର ଆଶିଆନା ଥାନାରେ SII ର ସିଇଓ ଆଦର ପୁନାଓ୍ୱାଲାଙ୍କ ସମେତ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାବର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ, ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗଭ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଅପର୍ଣ୍ଣା ଉପାଧ୍ୟାୟ ଏବଂ ଅନ୍ୟ ମାନଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ପ୍ରତାପ ଚନ୍ଦ୍ର ଅଭିଯୋଗ ପତ୍ରରେ କହିଛନ୍ତି ଯେ ସେ ଏପ୍ରିଲ୍ 8 ରେ କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିଲେ। ଏପ୍ରିଲ ୨୮ରେ ଦ୍ୱିତୀୟ ଡୋଜ ଟିକା ନେବାର ଥିଲା। କିନ୍ତୁ କେନ୍ଦ୍ର ସରକାର ଦ୍ୱିତୀୟ ଟିକା ନେବାର ଅବଧି ୬ ସପ୍ତାହକୁ ବଢ଼ାଇ ଦେଇଥିଲେ। ପରେ ସରକାର ଏହାକୁ ୧୨ ସପ୍ତାହକୁ ବଢ଼ାଇଦେଇଛନ୍ତି।  ଅଭିଯୋଗକାରୀ କହିଛନ୍ତି, ସେ ଟିକାର ପ୍ରଥମ ଡୋଜ ନେବା ପରେ ଅସୁସ୍ଥ ଅନୁଭବ କରୁଛନ୍ତି। ପ୍ରଥମ ଡୋଜ ନେବା ପରେ ସରକାରୀ ଲ୍ୟାବ୍ ରେ ନିଜ ଶରୀରରେ କେତେ ଆଣ୍ଟିବଡି ବିକଶିତ ହୋଇଛି ଟେଷ୍ଟ କରାଇଥିଲେ। କିନ୍ତୁ ଟେଷ୍ଟ ରିପୋର୍ଟରେ ତାଙ୍କ ଶରୀରରେ କୌଣସି ଆଣ୍ଟିବଡି ବଢ଼ିନଥିବା ଦେଖାଇଥିଲା। ତାଙ୍କ ଶରୀରରେ ଥିବା ପ୍ଲେଟିଲେଟସ ୩ ଲକ୍ଷରୁ ୧.୫ ଲକ୍ଷରୁ ଖସି ଆସିଥିବା ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେ ଅସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଅଭିଯୋଗକାରୀ ଆଇସିଏମଆରର ନିର୍ଦ୍ଦେଶକ ବଳରାମ ଭାର୍ଗବ ପ୍ରେସ କନଫରେନସ ସମୟର ଏକ ଭିଡିଓ ଦେଖାଇଛନ୍ତି ଯେଉଁଥିରେ କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ ନେବା ପରେ ଆଣ୍ଟିବଡି ବୃଦ୍ଧି ହେଉଛି ବୋଲି ବଳରାମ କହୁଥିଲେ । ସେ ଏହାର ପ୍ରମାଣ ପୁଲିସକୁ ଦେଖାଇଛନ୍ତି। ତେବେ ପୁଲିସ ଅଭିଯୋଗ ଗ୍ରହଣ କରିଥିବା ବେଳେ ଏଫଆଇଆର ରୁଜୁ କରିନଥିବା ଜଣାପଡ଼ିଛି। ଏହି ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସେମାନେ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି ବୋଲି ପୋଲିସ କହିଛି।। ତେବେ ଅଭିଯୋଗକାରୀ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ ଯଦି ଏଫଆଇଆର ରୁଜୁ ନକରେ ତେବେ ପ୍ରତାପ ଚନ୍ଦ୍ର କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।

Related Posts