ଜିଲ୍ଲା ଖଣିଜ ପାଣ୍ଠିର ଦୁରୁପୋଯୋଗ ଓ ସ୍ୱଳ୍ପ ବ୍ୟବହାର ଗାଁ ତଥା ପଂଚାୟତ ବିକାଶରେ ପ୍ରଥମ ବାଧକ
ଭୁବନେଶ୍ୱର ତା ୧୮.୮- ଓଡ଼ିଶାରେ ଜିଲ୍ଲା ଖଣିଜ ପାଣ୍ଠିର ବ୍ୟାପକ ମାତ୍ରାରେ ଦୁରୁପୋଯୋଗ ଓ ଜିଲ୍ଲା ଖଣିଜ ପାଣ୍ଠି ଆଇନ ୨୦୧୫ ର ଖୋଲାଖୋଲି ଉଲଙ୍ଘନ ହେତୁ, ଖଣି ଖାଦାନ ସମୃଦ୍ଧ ଜିଲ୍ଲା ଗୁଡ଼ିକରେ ଥିବା ପଂଚାୟତ ଏବଂ ରାଜସ୍ୱଗ୍ରାମ ଗୁଡ଼ିକର ବିକାଶ ପୂର୍ଣ୍ଣମାତ୍ରାରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ଏ ନେଇ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପ୍ରଶାନ୍ତ ଶତପଥି ରାଜ୍ୟ ବିଜେଡ଼ି ସରକାରଙ୍କର ମନମୁଖି କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । ଏହା ସହ କହିଛନ୍ତି ଯେ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଜିଲ୍ଲା ଖଣିଜ ପାଣ୍ଠି ଆଇନ ଆସିଥିଲା ତାହାର ଖୋଲାଖୋଲି ଉଲଙ୍ଘନ ଯୋଗୁଁ ଖଣିଜ କାର୍ଯ୍ୟ ଦ୍ୱାରା ପ୍ରଭାବିତ ଗ୍ରାମ ପଂଚାୟତ ଓ ରାଜସ୍ୱ ଗ୍ରାମ ଗୁଡ଼ିକର ବିକାଶର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁ ନାହିଁ । ଜିଲ୍ଲା ଖଣିଜ ପାଣ୍ଠି ଆଇନ ୨୦୧୫ ମୁତାବକ ପ୍ରଭାବିତ ଗ୍ରାମପଂଚାୟତର ଅଧିବାସୀଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଯୋଗାଣ, ପିଇବାପାଣିର ବ୍ୟବସ୍ଥା, ରାସ୍ତା ନିର୍ମାଣ, ଜଳସେଚନ ଆଦି ବିକାଶମୂଳକ କାର୍ଯ୍ୟ ଅଗ୍ରାଧିକାର ଭିତିରେ ଖଣିଜ ପାଣ୍ଠିରେ ମହଜୁଦ ଥିବା ଅର୍ଥକୁ ବିନିଯୋଗ କରି କରାଯିବା ଉଚିତ୍ । କିନ୍ତୁ ରାଜ୍ୟ ସରକାର ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାକୁ ରୁଲ-୧୦ / ୧୧ /୧୨ / ୧୬ ର ଖୋଲାଖୋଲି ଉଲ୍ଲଙ୍ଘନ କରି ଅନ୍ୟବାଦରେ ଖର୍ଚ୍ଚ କରୁଛନ୍ତି । ଯାହା ସଂପୂର୍ଣ୍ଣ ରୂପେ ବେଆଇନ । ଉଦାହରଣସ୍ୱରୂପ ରାଜ୍ୟ ସରକାରଙ୍କ ବାର୍ଷିକ କ୍ରୀଡ଼ା ବଜେଟରେ ଅର୍ଥର ବ୍ୟବସ୍ଥା ଥିବା ସ୍ୱତେ ରାଉରକେଲା ଠାରେ ଆର୍ନ୍ତଜାତୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାକୁ ଖର୍ଚ୍ଚ କରିବା କେତେଦୁର ସମୀଚିନ । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ପୋଲିସ ବିଭାଗ ପାଇଁ ୨୫ଟି ଗାଡ଼ି କିଣାଯିବା ତଥା ସର୍କିଟ ହାଉସର ପାଚେରୀ ନିର୍ମାଣ ଆଦି କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାର ବିନିଯୋଗ ସଂପୂର୍ଣ୍ଣ ରୂପେ ବେଆଇନ ଅଟେ । ୨୦୧୭ ମସିହାରେ ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାରେ ଝାରସୁଗୁଡ଼ା ବିମାନବନ୍ଦରକୁ ପାୱାର ସପ୍ଲାଏ ପାଇଁ ଖର୍ଚ୍ଚ କରିବା ଉକ୍ତ ଅର୍ଥର ଦୁରୁପୋଯୋଗର ଆଉ ଏକ ଉଦାହରଣ । ସ୍ମାର୍ଟ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା ପାଇଁ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠି ଟଙ୍କାର ଦୁରୁପୋଯୋଗ ହେଉଛି । ଯେତେବେଳେ କି ଆଇନରେ ନିର୍ଦ୍ଦିଷ୍ଟ ଭାବରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା କେବଳ ଖଣି କାର୍ଯ୍ୟରେ ସିଧାସଳଖ ପ୍ରଭାବିତ ଗ୍ରାମପଂଚାୟତ ଓ ତା ଭିତରେ ଥିବା ରାଜସ୍ୱ ଗ୍ରାମଗୁଡ଼ିକର ଗ୍ରାମବାସୀଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ହିଁ ବିନିଯୋଗ କରାଯିବ । ଏତଦ୍ବ୍ୟତୀତ ସାମାଜିକ ଓ ଅର୍ଥନୈତିକ ବିକାଶମୂଳକ କାର୍ଯ୍ୟ କରିବା ପୂର୍ବରୁ ଉକ୍ତ ଅଂଚଳର ଗ୍ରାମସଭାର ଅନୁମୋଦନ ଏକାନ୍ତ ଆବଶ୍ୟକ । କିନ୍ତୁ ଯେଉଁ ହାତଗଣତି ଅଳ୍ପ କିଛି ବିକାଶ ହେଉଛି ସେ ସବୁ ପାଇଁ ଶାସକ ଦଳର ନେତା ଓ ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ଅଫିସର ମାନଙ୍କ ଇଛା ଅନୁସାରେ କରାଯାଉଛି ଏବଂ କାର୍ଯ୍ୟ କରାଯାଉଥିବା ଅଂଚଳର ଗ୍ରାମସଭା ଓ ନାଗରୀକ ସମାଜର ଅନୁମୋଦନ ନିଆଯାଉ ନାହିଁ । କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ବକ୍ତବ୍ୟ ଅନୁସାରେ ଓଡ଼ିଶା ୨୦୧୫ ଠାରୁ ଅଦ୍ୟାବଧି ୧୧୯୮୪ କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ବାବଦରେ ପାଇଛି । ଜିଲ୍ଲା ଖଣିଜ ପାଣ୍ଠିରେ ଥିବା ଅର୍ଥ ରାଜ୍ୟ ବଜେଟର ବ୍ୟୟବରାଦ ଭିତରେ ଆସେନାହିଁ । ତେଣୁ ଏ ଅର୍ଥକୁ ଅନ୍ୟବିଭାଗ ପାଇଁ ଖର୍ଚ୍ଚ କରିବା ସଂପୂର୍ଣ୍ଣ ଭାବରେ ଆଇନର ବିରୁଧାଚରଣ କରୁଛି । ରାଜ୍ୟ ସରକାର ପ୍ରତ୍ୟେକ ବିଭାଗ ପାଇଁ ବର୍ଷ ଆରମ୍ଭରୁ ବଜେଟରେ ଅର୍ଥର ବ୍ୟବସ୍ଥା କରିଥାନ୍ତି ଏବଂ ଅର୍ଥ ସଚିବଙ୍କ ଚିଠିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବଜେଟରେ ଥିବା ଅର୍ଥକୁ ସରକାରୀ ବିଭାଗ ଗୁଡ଼ିକ ସଂପୂର୍ଣ୍ଣରୂପେ ଖର୍ଚ୍ଚ କରିବାରେ ସମର୍ଥ ହୁଅନ୍ତି ନାହିଁ । ତେଣୁ ସରକାର ବିଭାଗୀୟ ଅର୍ଥରେ ବିଭିନ୍ନ ଯୋଜନା ଗୁଡ଼ିକର କାର୍ଯ୍ୟ ସଂପାଦନ କରନ୍ତୁ ଏବଂ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାକୁ ଅପବ୍ୟୟ ନକରି ନିର୍ଦ୍ଦିଷ୍ଟ ଭାବରେ ଖଣି କାର୍ଯ୍ୟଦ୍ୱାରା ପ୍ରଭାବିତ ଗ୍ରାମ ପଂଚାୟତ ଓ ରାଜସ୍ୱ ଗ୍ରାମଗୁଡ଼ିକର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଶ୍ରୀ ଶତପଥି ଆହ୍ୱାନ ଦେଇଛନ୍ତି । ଖଣି କାର୍ଯ୍ୟଦ୍ୱାରା ପ୍ରଭାବିତ ଗ୍ରାମ ପଂଚାୟତ ଓ ରାଜସ୍ୱ ଗ୍ରାମଗୁଡ଼ିକର ଅଧିବାସୀ ମାନେ ବାୟୁପ୍ରଦୁଷଣ ଓ ଜଳପ୍ରଦୁଷଣ ହେତୁ ବିଭିନ୍ନ କ୍ୟାନସର, ଯକ୍ଷ୍ମା, ଫୁସ୍ଫୁସ ସଂକ୍ରମଣ ଆଦି ଦୁରା ରୋଗ୍ୟ
ବ୍ୟାଧିରେ ପୀଡ଼ିତ ହେଉଛନ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ରାଜ୍ୟ ସରକାର ଖଣିଜ ପାଣ୍ଠିର ଟଙ୍କାକୁ ଖର୍ଚ୍ଚ ନକରିବା ଅତ୍ୟନ୍ତ ପରିତାପର ବିଷୟ । ତଥ୍ୟ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ମଞ୍ଜୁରିପ୍ରାପ୍ତ ଅର୍ଥ ୬୯୭୬.୯୮ କୋଟି ହୋଇଥିବା ସ୍ଥଳେ ଖର୍ଚ୍ଚ ହୋଇଛି ମାତ୍ର ୬୯୨.୨୫ କୋଟି । ସେହିଭଳି କେନ୍ଦୁଝର ଜିଲ୍ଳାରେ ମଞ୍ଜୁରିପ୍ରାପ୍ତ ଅର୍ଥ ୩୬୧୪.୬୨ କୋଟି ହୋଇଥିବା ସ୍ଥଳେ ଖର୍ଚ୍ଚ ହୋଇଛି ମାତ୍ର ୧ଲକ୍ଷ ଟଙ୍କା, ଅନୁଗୁଳ ଜିଲ୍ଲାରେ ମଞ୍ଜୁରିପ୍ରାପ୍ତ ଅର୍ଥ ୬୧୨୩.୪୭ କୋଟି ହୋଇଥିବା ସ୍ଥଳେ ଖର୍ଚ୍ଚ ହୋଇଛି ମାତ୍ର ୯୪.୮୮କୋଟି, ରାୟଗଡ଼ା ଜିଲ୍ଲାରେ ମଞ୍ଜୁରିପ୍ରାପ୍ତ ଅର୍ଥ ୧୦୫ କୋଟି ହୋଇଥିବା ସ୍ଥଳେ ୧ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନାହିଁ, ମୟୂରଭଞ୍ଜ ଜିଲ୍ଲାରେ ମଞ୍ଜୁରିପ୍ରାପ୍ତ ଅର୍ଥ ୨୯.୬୯
କୋଟି ହୋଇଥିବା ସ୍ଥଳେ ଖର୍ଚ୍ଚ ହୋଇଛି ମାତ୍ର ୧.୮୫ କୋଟି । ଏହି ଅଳ୍ପ କିଛି ଜିଲ୍ଲାର ତଥ୍ୟରୁ ସମଗ୍ର ଓଡ଼ିଶାର ଖଣିଜ ପାଣ୍ଠି ଟଙ୍କା ଖର୍ଚ୍ଚର ବିକଳ ଚିତ୍ର ଅନୁମାନ କରାଯାଇପାରେ । ପ୍ରଦେଶ କଂଗ୍ରେସର ଦାବି ହେଉଛି ଯେ ରାଜ୍ୟ ସରକାର ଅବିଳମ୍ବେ ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଉକ୍ତ ପଂଚାୟତରେ ଖର୍ଚ୍ଚ ହୋଇଥିବା ଜିଲ୍ଲା ଖଣିଜ ପାଣ୍ଠି ଟଙ୍କାର ବିସଦ ବିବରଣୀକୁ ଉପଯୁକ୍ତ ସ୍ଥାନରେ ଲେଖନ୍ତୁ ଯାହାଦ୍ୱାରା ଗ୍ରାମବାସୀମାନେ କେଉଁ କାର୍ଯ୍ୟ ପାଇ କେତେ ଟଙ୍କା ଖର୍ଚ୍ଚ ହେଉଛି ଜାଣିପାରିବେ । ସେହିଭଳି ପ୍ରତ୍ୟେକ ବ୍ଲକରେ ପଂଚାୟତ ୱାରି ଲିଖିତ ବିବରଣୀ ଜାରି କରନ୍ତୁ । ରାଜ୍ୟ ସରକାର ଜିଲ୍ଲା ଖଣିଜ ପାଣ୍ଠିର ଆର୍ଥିକ କାରବାରକୁ ସିଏଜିଙ୍କ ଦ୍ୱାରା ଅଡିଟ କରିବାପାଇଁ ସୁପାରିଶ କରନ୍ତୁ ଏବଂ ଜିଲ୍ଲା ଖଣିଜ ପାଣ୍ଠିର ସମୁଦାୟ ଆୟ ଏବଂ ପଂଚାୟତର ବିକାଶ ପାଇଁ କରାଯାଇଥିବା ବ୍ୟୟର ହିସାବ ଓଡ଼ିଶାର ଜନସାଧାରଣଙ୍କ ଆଗରେ ରଖନ୍ତୁ ଏବଂ ଏହି ଅଡିଟ ରିପୋର୍ଟକୁ ସର୍ବସାଧାରଣଙ୍କ ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ୱେବସାଇଟ୍ରେ ସାର୍ବଜନୀନ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ, ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।