ନିଜ ଲୋକଙ୍କ ଚକ୍ରବ୍ୟୁହରେ ଫସିଗଲେ ଜର୍ଜ !

ସତ୍ୟପାଠ ବୁରୋ : ମୋତେ ବିଜେପି ନୁହେଁ କଂଗ୍ରେସ ହରାଇଛି । ଏକଥା କହିଛନ୍ତି ଖୋଦ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ । ଯେତେବେଳେ କଂଗ୍ରେସର ହାତ ଛାଡି ଅନ୍ୟମାନେ ବାହାରକୁ ଚାଲି ଯାଉଥିଲେ ସେତେବେଳେ କଂଗ୍ରେସକୁ ଆସିଥିଲେ ଜର୍ଜ ତିର୍କୀ । ସୁନ୍ଦରଗଡ ସାଂସଦ ପାଇଁ ଦଳରୁ ଟିକେଟ ବି ପାଇଥିଲେ । ହେଲେ ଏବେ ସେ କହିଛନ୍ତି ତାଙ୍କୁ ନିଜ ଦଳ ଭାଇ ହିଁ ହରାଇଛନ୍ତି ।

ସାମ୍ବାଦିକ ସମ୍ମିଳନୀ କରି ବିଷ ଓଗାଳିଛନ୍ତି ଜର୍ଜ । ସିଧାସଳଖ କହିଛନ୍ତି ତାଙ୍କୁ ଜୁଏଲ ନୁହଁନ୍ତି ବରଂ କଂଗ୍ରେସ ହିଁ ହରାଇଛି । ମାନେ ନିଜ ଦଳଭାଇଙ୍କ ଷଡଯନ୍ତ୍ରର ଶୀକାର ହୋଇଛନ୍ତି ଜର୍ଜ । ପିସିସିରୁ ଡିସିସି ଯାଏଁ ସବୁଠି ତାଙ୍କ ପାଇଁ ବ୍ୟୁହ ରଚନା କରାଯାଇଥିଲା । ଯେଉଁଥିପାଇଁ ସେ ହାରିଛନ୍ତି ।

ଏନେଇ ପିସିସିରେ ସେ ଅଭିଯୋଗ କରିଥିବା ବି କହିଛନ୍ତି । ଷଡଯନ୍ତ୍ରକାରୀଙ୍କୁ ଦଳରୁ ବିଦା କରିବାକୁ ଦାବୀ କରିଛନ୍ତି ଜର୍ଜ । ପିସିସି ଓ ଡିସିସିର କିଛି ତୁଙ୍ଗ ନେତା ଅନ୍ତର୍ଘାତୀ କାମ କରିଛନ୍ତି । କେଉଁମାନେ ଜର୍ଜଙ୍କୁ ହରାଇବାକୁ ଚେଷ୍ଟା କରୁଥିଲେ ବା ସେ ସାଂସଦ ହେଲେ କାହାର କି କ୍ଷତି ହେବ ଯଦିଓ ଜର୍ଜ ସେନେଇ କିଛି କହି ନାହାଁନ୍ତି ତଥାପି କହିଛନ୍ତି ଏହି କାମ କରିତିବା ନେତାଙ୍କ ନାଁ ସହ ଏକ ତାଲିକା ରାହୁଲ ଗାନ୍ଧୀଙ୍କୁ ଦିଆଯାଇଛି । ଏହାକୁ ନେଇ ରାହୁଲ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶା ରଖିଛନ୍ତି ।

ଏହାବାଦ ସେ ଆଉ ଏକ ସାଂଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି । ଇଭିଏମ୍ ଟାମ୍ପରିଂ କରି ଜୁଏଲ ୫ଲକ୍ଷ ଭୋଟ ପାଇଥିବା ଜର୍ଜ କହିଛନ୍ତି । ଗତଥର ମୋଦି ଓ ଦିଲ୍ଲୀପ ରାୟଙ୍କ ପ୍ରଚାର ସତ୍ୱେ ଜୁଏଲ ୩ଲକ୍ଷ ପାଖାପାଖି ଭୋଟ ପାଇଥିବା ବେଳେ ଏଥର ସେମାନେ ନ ଆସି ବି କେମିତି ୫ଲକ୍ଷ ଭୋଟ ଜୁଏଲଙ୍କ ନାଁରେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଜର୍ଜ ।

 

 

Related Posts