
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ଆସନ୍ତା କାଲି ୬ ମାସ ପୁରିବ। ଏହି ଅବସରରେ ମେ ୨୬ ତାରିଖରେ କୃଷକ ମାନେ ଦେଶବ୍ୟାପୀ କଳା ଦିବସ ପାଳନ କରିବେ। ତେବେ କୃଷକଙ୍କ ଏହି ବିରୋଧ ପ୍ରଦର୍ଶନକୁ ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ସମର୍ଥନରେ ସିଦ୍ଧୁ ପଟିଆଲା ଏବଂ ଅମୃତସର ସ୍ଥିତ ତାଙ୍କ ବାସଭବନରେ କଳା ପତାକା ଉଡାଇଛନ୍ତି। ଏହି ଅବସରରେ ତାଙ୍କ ସହ ତାଙ୍କ ସ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଟ୍ୱିଟରରେ ଏକ ଭିଡଓ ସେୟାର କରି ସେ କହିଛନ୍ତି ଯେ,” ପଞ୍ଜାବ ଆଜି ତିନୋଟି କଳା ଆଇନ ବିରୋଧରେ ଲଢେଇ କରୁଛି। କୃଷକଙ୍କ ଆୟକୁ ଶେଷ କରିଦେବା ପାଇଁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି । କ୍ଷୁଦ୍ର ବ୍ୟବସାୟୀ ଏବଂ ଶ୍ରମିକଙ୍କ ପେଟରେ ଲାତ ମାରିବା ପାଇଁ ଏହି ଆଇନ ଅଣାଯାଇଛି।”
କ୍ରିକେଟ୍ ଜଗତରୁ ରାଜନୀତିରେ ପାଦ ଥାପିଥିବା ସିଦ୍ଧୁ ପଞ୍ଜାବର ସମସ୍ତ ଲୋକଙ୍କୁ କୃଷକଙ୍କ ସମର୍ଥନରେ ଆସିବାକୁ ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ପଞ୍ଜାବର ପ୍ରଗତିର ରାସ୍ତା କୃଷକମାନଙ୍କୁ ଦେଇ ଯାଇଥାଏ। ସିଦ୍ଧୁ କହିଛନ୍ତି, ଏହି କଳା ପତାକା ଉଡାଇବା ଚାଷୀଙ୍କ ପାଇଁ ଅଣାଯାଇ ଥିବା କଳା ଆଇନକୁ ପ୍ରତ୍ୟାଖ୍ୟାନ କରିବାର ସଙ୍କେତ ଅଟେ। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେ ଏହି ସିଷ୍ଟମ ପରିବର୍ତ୍ତନ ନକରିଛେ ସେ ପର୍ଯ୍ୟନ୍ତ ଆମେ ଚୁପ୍ ରହିବା ନାହିଁ। ସୂଚନାଯୋଗ୍ୟ ଯେ, ଆସନ୍ତା କାଲି କଳା ଦିବସ ପାଳନ କରିବାକୁ ପଞ୍ଜାବର ବହୁ ସଂଖ୍ୟକ କୃଷକ ଦିଲ୍ଲୀ ସୀମା ଆଡକୁ ଯାଉଛନ୍ତି। ଭାରତ କିସାନ ୟୁନିଅନର ପଞ୍ଜାବ ୟୁନିଟର ନେତାମାନେ କୃଷକ ସଂଗଠନ ଶ୍ରମିକ, କର୍ମଚାରୀ ଏବଂ ବ୍ୟବସାୟୀଙ୍କ ସମେତ ସମସ୍ତଙ୍କୁ ନିବେଦନ କରିଛନ୍ତି ଯେ କୃଷି ଆଇନ ବିରୁଦ୍ଧରେ ଏକତା ପ୍ରଦର୍ଶନ କରିବାକୁ ଦୋକାନ ଏବଂ ନିଜ ଘର ଉପରେ କଳା ପତାକା ଲଗାନ୍ତୁ।