ପଶ୍ଚିମବଙ୍ଗର ସମସ୍ତ ରାଲିକୁ ବାତିଲ୍ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁ ଥିବା ତାଙ୍କର ସମସ୍ତ ରାଲିକୁ ସ୍ଥଗିତ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ଏବଂ ଅନ୍ୟ ରାଜନୈତିକ ଦଳ ଓ ନେତାମାନଙ୍କୁ ଏହି ବିଷୟରେ ଚିନ୍ତା କରିବାକୁ ନିବେଦନ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ,” କୋଭିଡ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ପଶ୍ଚିମବଙ୍ଗରେ ମୋର ସମସ୍ତ ରାଲିକୁ ବାତିଲ କରୁଛି। ଏହି ପରିସ୍ଥିତିରେ ଏଭଳି ସମାବେଶର ଫଳାଫଳ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବାକୁ ମୁଁ ଅନ୍ୟ ଦଳର ନେତାମାନଙ୍କୁ ମଧ୍ୟ ଅନୁରୋଧ କରୁଛି।

” ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପ୍ରଥମ ଥର ପାଇଁ ଏପ୍ରିଲ 14 ରେ ପଞ୍ଚମ ପର୍ଯ୍ୟାୟ ପାଇଁ ଏକ ରାଲି କରିଥିଲେ। ପଶ୍ଚିମବଙ୍ଗରେ ପାଞ୍ଚୋଟି ପର୍ଯ୍ୟାୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ତିନୋଟି ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ବାକି ରହିଛି। ରାଜ୍ୟରେ କରୋନା ମାମଲା ବଢିବା ସତ୍ତ୍ୱେ ବହୁ ବଡ ବଡ ନେତା ପ୍ରତିଦିନ ରାଲି ଏବଂ ରୋଡ୍ ସୋ ଆୟୋଜନ କରୁଛନ୍ତି। ତେବେ ଉଲ୍ଲେଖନୀୟ କଥା ହେଉଛି ଶନିବାର ଅର୍ଥାତ୍ ଗତକାଲି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜ୍ୟରେ ରାଲି କରିଥିଲେ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏକ ରୋଡ୍ ସୋ କରିଥିଲେ। ଆସନ୍ତା ସପ୍ତାହରେ ମଧ୍ୟ 22 ଏବଂ 24 ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରୁଥିବା ବେଳେ ରାଜନୈତିକ ଦଳ ମାନେ କରୁଥିବା ନୀର୍ବାଚନୀ ରାଲିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ରାହୁଲ ଗାନ୍ଧୀଙ୍କ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୋସିଆଲ ମିଡ଼ିଆ ଓ ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଉଛି। ସମାଲୋଚକ କହୁଛନ୍ତି ଯେ, କରୋନାର ମୁକାବିଲା କରିବା ପରିବର୍ତ୍ତେ ସୁପର ସ୍ପ୍ରେଡରର ଭୂମିକା ନେଉଛନ୍ତି। ତେବେ ପଶ୍ଚିମବଙ୍ଗର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ନିର୍ବାଚନ ପ୍ରଚାର ଉପରେ କିଛି ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ନିର୍ବାଚନ ପ୍ରଚାରକୁ ରାତି 10 ଟା ପରିବର୍ତ୍ତେ ସନ୍ଧ୍ୟା 7 ଟା ସୁଦ୍ଧା ଶେଷ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଅବଶିଷ୍ଟ ପର୍ଯ୍ୟାୟ ନିର୍ବାଚନ ଏକାସାଙ୍ଗରେ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛନ୍ତି।

Related Posts