ହିମାଚଳ ନିର୍ବାଚନ ପାଇଁ କଂଗ୍ରେସର ଘୋଷଣା ପତ୍ର ଜାରି; ପ୍ରଥମ କ୍ୟାବିନେଟରେ ୧ ଲକ୍ଷ ନିଯୁକ୍ତି, ୩୦୦ ୟୁନିଟ ମାଗଣା ବିଜୁଳି

ଭୁବନେଶ୍ୱର ( ସତ୍ୟାପଠ ବ୍ୟୁରୋ ): ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ଏବେ ରାଜନୈତିକ ମହୋଲ ସରଗରମ ରହିଥିବା ବେଳେ କଂଗ୍ରେସ ଆଜି ନିଜର ଘୋଷଣାପତ୍ର ଜାରି କରିଛି । ଏହି ଘୋଷଣାପତ୍ରରେ ଦଳ ଭୋଟରମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି । ସବୁ ଘୋଷଣା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ କହିଛି ଯେ, ହିମାଚଳରେ କଂଗ୍ରେସ ସରକାର ଗଠନ ହଲେ ସରକାରଙ୍କ ପ୍ରଥମ କୁଲ୍ୟବିନେଟ ବୈଠକରେ ରାଜ୍ୟର ୧ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦିଆଯିବ । ତେବେ ଏନେଇ ଗତକାଲି ଏକ ସାଧାରଣ ସଭାରେ ଦଳର ମହା ସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଘୋଷଣା କରିଥିଲେ।

କେବଳ ସେତିକି ନୁହେଁ ଦଳ ସରକାର ଗଠନ କଲେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏଁ ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ । ଏହାସହ ରାଜ୍ୟରେ ପୁରୁଣା ପେନସନ ଲାଗୁ କରିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀମାଗଣା ଦେବା । ଏହାସହ କିଲୋ ପ୍ରତି ୨ ଟଙ୍କା ଦରରେ ଗୋବର କିଣିବା ସହ ଫଳ ଚାଷୀ ସେମାନଙ୍କ ଫଳର ଦାମ ବଗିଚାରେ ନିର୍ଦ୍ଧାରିତ କରିପାରିବାର ସୁଯୋଗ ମିଳିବ । ସେପଟେ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ପାଇଁ ୬୮୦ କୋଟି ଟଙ୍କାର ଷ୍ଟାଟଅପ୍ ପ୍ରସ୍ତୁତ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି ।

ସେପଟେ ଘୋଷଣାପତ୍ରରେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇଛି ଦଳ । ଘୋଷଣାପତ୍ରରେ କୁହାଯାଇଛି ଯେ, ଦଳ ସରକାର ଗଠନ କଲେ ପ୍ରତି ବିଧାନସଭା କ୍ଷେତ୍ରରେ ୪ ଟି ଲେଖାଏଁ ସରକାରୀ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲାଯିବ । ମୋବାଇଲ ଭ୍ୟାନ ମାଧ୍ୟମରେ ପ୍ରତି ଗାଁର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ପଶୁପାଳନ ଯୋଜନାରେ ସରକାର ପ୍ରତି ଦୁଗ୍ଧଚାଷୀଙ୍କ ଠାରୁ ୧୦ ଲିଟର ପର୍ଯ୍ୟନ୍ତ କ୍ଷୀର କିଣିବ ବୋଲି ଘୋଷଣା ପତ୍ର ମଧ୍ୟରେ ପ୍ରତିଶ୍ରୁତି ଦିଆଯାଇଛି ।

ଏନେଇ ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ହିମାଚଳ ପ୍ରଦେଶରେ ଏକ ସଭାରେ ଯୋଗ ଦେଇ ଘୋଷଣାପତ୍ର ଜାରି କରିଛନ୍ତି । ଏହି ସଭାରେ ବଘେଲ ହରିଆଣା ଓ କେନ୍ଦ୍ରର ବିଜେପି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

Related Posts