‘ମୋଦିଙ୍କ ମିଛକୁ ଘୋଡ଼ାଉଛନ୍ତି ରୂପାନୀ’

ରାଫେଲ୍ ଯୁଦ୍ଧ ବିମାନ ସଂକ୍ରାନ୍ତରେ ଭୁଲ ତଥ୍ୟ ରଖି ସୁପ୍ରିମକୋର୍ଟଙ୍କୁ ବିଭ୍ରାନ୍ତ କରିଛନ୍ତି କେନ୍ଦ୍ର ସରକାର:କଂଗ୍ରେସ

ରାଫେଲ୍ ଯୁଦ୍ଧ ବିମାନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିଲା । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟରେ କେନ୍ଦ୍ର ସରକାର ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରି ଅଦାଲତଙ୍କୁ ବିଭ୍ରାନ୍ତ କରିବାର ଯେଉଁ ଅପଚେଷ୍ଟା କରିଥିଲେ ଦେଶ ଆଗରେ ତାର ପର୍ଦ୍ଦାଫାସ୍‌ ହୋଇଛି ।

ଏ ନେଇ କେନ୍ଦ୍ର ସରକାରଙ୍କୁ କାଠ ଗଡ଼ାକୁ ଟାଣିଛନ୍ତି କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । କହିଛନ୍ତି ମିଥ୍ୟା ତଥ୍ୟ ପ୍ରଦାନ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ବିଭ୍ରାନ୍ତ କରିବାର ଯେଉଁ ଅପଚେଷ୍ଟା କରାଯାଇଛି ତାହା ସ୍ୱାଧୀନ ଭାରତ ଇତିହାସରରେ ବିରଳ ଘଟଣା ଏବଂ ଏଥିପାଇଁ କେନ୍ଦ୍ର ସରକାର ଗଙ୍ଗା ସ୍ନାନ କରି ପାପର ପ୍ରାୟଶ୍ଚିତ କରନ୍ତୁ ।

ସୋମବାର ଭୁବନେଶ୍ୱରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କରିଥିବା ସାମ୍ବାଦିକ ସମ୍ମିଳନୀରେ ଉଠାଇଥିବା ପ୍ରସଙ୍ଗକୁ ସଂପୂର୍ଣ୍ଣରୂପେ ଖାରଜ କରିଛନ୍ତି ସତ୍ୟପ୍ରକାଶ । କହିଛନ୍ତି ରାଫେଲ୍‌ ଲଢ଼ୁଆ ଯୁଦ୍ଧ ବିମାନ କିଣିବା ପ୍ରକ୍ରିୟା ୨୦୦୭ ନୁହେଁ ବରଂ ୨୦୦୧ ମସିହାରେ ଆରମ୍ଭ ହୋଇଥିଲା, ଯାହାକୁ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଆରମ୍ଭ କରିଥିଲେ ଏବଂ ଡକ୍ଟର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଜାନୁଆରୀ ୨୦୧୨ ମସିହାରେ ଦାସଲ୍ଟ୍ ଆଭିଏସନ୍ କମ୍ପାନୀ ସର୍ବନିମ୍ନ ଟେଣ୍ଡର ଧାରକ ଭାବରେ ଉତ୍ତୀର୍ଣ୍ଣ ହୋଇଥିଲା । କିନ୍ତୁ ନିର୍ବାଚନ ଯୋଗୁଁ ଯୁଦ୍ଧ ବିମାନ କିଣିବାର ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ।

ଏ ନେଇ କେତେକ ପ୍ରଶ୍ନ ଆଜି ବି ଅସମାହିତ

1) ମୂଳତଃ ୧୨୬ଟି ଯୁଦ୍ଧବିମାନ କିଣିବାକୁ ନିଷ୍ପତି ହୋଇଥିଲା ଏବଂ ତା ଭିତରୁ ୧୮ଟି ସିଧାସଳଖ କିଣାଯିବାକୁ ଥିବାବେଳେ ୧୦୮ଟି ଯୁଦ୍ଧ ବିମାନ ଭାରତରେ ହିନ୍ଦୁସ୍ଥାନ ଏରୋନୋଟିକ୍ସ ସହଭାଗିତାରେ ନିର୍ମାଣ କରିବାର ପ୍ରସ୍ତାବ ରହିଥିଲା । କିନ୍ତୁ କ’ଣ ପାଇଁ ମୂଳ ରାଜିନାମାକୁ ବଦଳାଇ ୧୨୬ ବଦଳରେ ୩୬ଟି ଯୁଦ୍ଧବିମାନ କିଣିବାକୁ ମୋଦି ସରକାର ନିଷ୍ପତ୍ତି ନେଲେ ସେ କଥା ଏ ଯାଏଁ ରହସ୍ୟ ଘେରରେ ରହିଛି ।

2) ରାଫେଲ ଯୁଦ୍ଧ ବିମାନର ମୂଲ୍ୟ ମୂଳତଃ ୫୨୬ କୋଟି ଥିବା ବେଳେ ଏବେ ଏହାକୁ ୧୬୭୦ କୋଟିକୁ ବୃଦ୍ଧି କରାଯିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

3) ଏକ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ରାଫେଲ୍ ଯୁଦ୍ଧ ବିମାନ କିଣିବାର ପ୍ରକ୍ରିୟାକୁ ଯାଂଚ କରିବାକୁ କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳଙ୍କ ଦାବିକୁ କେନ୍ଦ୍ରସରକାର କାହିଁକି ଗ୍ରହଣ କରୁନାହାନ୍ତି ?

4) ରାଫେଲ ଯୁଦ୍ଧ ବିମାନର ତିନିଗୁଣା ଦରବୃଦ୍ଧି, ୧୨୬ ଯୁଦ୍ଧ ବିମାନ ପରିବର୍ତେ ମାତ୍ର ୩୬ଟି ବିମାନ କିଣିବାକୁ ପରିବର୍ତିତ ନିଷ୍ପତି ଓ ସୁପ୍ରିମକୋର୍ଟଙ୍କ ପାଖରେ ମିଥ୍ୟା ତଥ୍ୟ ପ୍ରଦାନ କରି ମାନ୍ୟବର ନ୍ୟାୟଳୟଙ୍କୁ ବିଭ୍ରନ୍ତ କରିବାର ଅପଚେଷ୍ଟା ପ୍ରଭୃତିର ଉତର ଦାବି କରିଛି କଂଗ୍ରେସ ।

ଭୁବନେଶ୍ବରସ୍ଥିତ ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ମନୋଜ ମହାପାତ୍ର, ହିଂମାଶୁ ଲେଙ୍କା, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର, ଓମପ୍ରକାଶ ସାହୁ, ପ୍ରଦୀପ ମହାପାତ୍ର ଉପସ୍ଥିତ ଥିଲେ ।

Related Posts