କଂଗ୍ରେସ ଦେଶରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ: ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳ ଏକା ଲଢିବ, ଦଳକୁ କାହାରି ସାହାଯ୍ୟ ଆବଶ୍ୟକ ନାହିଁ। ଆଗାମୀ ଦିନରେ କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦେଶରେ ଅଣବିଜେପି ସରକାର ଗଠନ କରିବ । କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଏକ ସାର୍ବଜନୀନ ସଭାରେ ଉଦବୋଧନ ଦେଇ ଏଭଳି କହିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ।

ତେବେ ଦଳରେ ସଭାପତି ଭାବେ ନିର୍ବାଚିତ ହେବା ପରେ ଗତକାଲି ପ୍ରଥମଥର ପାଇଁ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ମୋଦି ପ୍ରତିଦିନ ମିଛ ପ୍ରଚାର କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଖାଡଗେ କହିଛନ୍ତି ଯେ, ଦେଶରେ ଯଦି ଆଗାମୀ ଦିନରେ କୌଣସି ଅଣବିଜେପି ସରକାର ଆସିବ, ତେବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆସିବ। ଆମେ ସରକାର ଗଠନ କରିବୁ।

ସେ ଆହୁରି କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରାରେ ବହୁ ସଂଖ୍ୟାରେ ଯୁବକଙ୍କ ସମର୍ଥନ ମିଳୁଛି । କାରଣ ୨୦୧୪ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ୨ କୋଟି ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଖାଡଗେ ଆହୁରି କହିଛନ୍ତି ଯେ, ଗୁଜରାଟ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ୱ କରାଯାଉଛି। କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର୍ବିରେ ଛିଣ୍ଡିଥିବା ପୋଲ ପରି ଅନ୍ୟ ପୋଲ ଗୁଡିକର ଉଦଘାଟନ କରିବାର ଅଛି ।

ସେହିପରି ବର୍ତ୍ତମାନ ତେଲେଙ୍ଗାନାରେ ଚାଲୁଥିବା ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଜାତୀୟ ରାଜନୀତିକୁ ନଜର ରଖି କେସିଆର ରାଜ୍ୟବାସୀଙ୍କ କଲ୍ୟାଣକୁ ଅଣଦେଖା କରୁଛନ୍ତି। ଏହାସହିତ କେସିଆର ମୋଦୀଙ୍କ ସହ କାମ କରୁଥିବା ସେ ଅଭିଯୋଗ କରିଛନ୍ତି । ସେଥିପାଇଁ କେବଳ ରାହୁଲ ଗାନ୍ଧୀ ହିଁ ଦେଶକୁ ଏକ ଅଣ ବିଜେପି ସରକାର ଦେଇ ପାରିବେ ବୋଲି ସେ କହିଛନ୍ତି।

Related Posts