‘ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା କଂଗ୍ରେସର କାମ’: ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ଆସନ୍ତା ନଭେମ୍ବର ୧୨ ତାରିଖରେ ରାଜ୍ୟରେ ନିର୍ବାଚନ ଲାଗି ମତଦାନ ଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟକୁ ଗସ୍ତ କରିଛନ୍ତି । ଶନିବାର ସିରମୌରରେ ଏକ ଜନସଭାରେ ବିଜେପି ନିର୍ବାଚନୀ ପ୍ରଚାର ଗୀତ ‘ହିମାଚଳ କି ପୁକାର ଫିର ବିଜେପି ସରକାର’ ଲଞ୍ଚ୍‌ କରିଥିବାବେଳେ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହା। ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା କଂଗ୍ରେସର କାର୍ଯ୍ୟ ବୋଲି ସେ କହିଛନ୍ତି ।

ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାବେଳେ ଶାହ କହିଛନ୍ତି, “ହିମାଚଳ ପ୍ରଦେଶ ଏହି ନିର୍ବାଚନରେ ଏକ ନୂଆ ପ୍ରଥା ଆଣିବାକୁ ଯାଉଛି । ତାହା ହେଉଛି ‘ଏକ ବାର ବିଜେପି, ବାର୍‌ ବାର୍‌ ବିଜେପି’ । ଉତ୍ତରାଖଣ୍ଡରେ କ୍ଷମତାରେ ପରିବର୍ତ୍ତନ ଲାଗି ଅନେକ ଦିନରୁ କଂଗ୍ରେସ କହିଆସୁଛି । ମାତ୍ର ତାହା ଫଳପ୍ରଦ ହୋଇନାହିଁ । ଉତ୍ତରାଖଣ୍ଡରେ ବିଜେପି ସରକାର ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ ଭାର ଗ୍ରହଣ କରିଛି ।”

ଏହାସହିତ ଶାହ ହିମାଚଳ ପ୍ରଦେଶର ହାତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ଶାହ କହିଛନ୍ତି, “ମୋଦି ସରକାର ହାତି ସମ୍ପ୍ରଦାୟର ଦୀର୍ଘ ୫୫ ବର୍ଷର ସଂଘର୍ଷ ଉପରେ ବିରାମ ଲଗାଇଛନ୍ତି । ଶେଷରେ ଏହି ସମ୍ପ୍ରଦାୟ ଏସଟି ମାନ୍ୟତା ହାସଲ କରିଛି । ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କରିଛନ୍ତି । ହିମାଚଳବାସୀଙ୍କ ସହିତ ସେ ଲଗାତାର ଭାବେ ସମ୍ପର୍କରେ ଥିବାରୁ ହିମାଚଳବାସୀଙ୍କୁ ନିଜର ବୋଲି ଗର୍ବର ସହିତ କହିଛନ୍ତି ।”

ତେବେ ବିଜେପି ହିମାଚଳପ୍ରଦେଶରେ ଦୁଇ-ତୃତୀୟାଂଶ ବହୁମତ ସହିତ କ୍ଷମତାକୁ ଫେରିବ ବୋଲି ଶାହ କହିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ଶାହ କହିଛନ୍ତି, “କଂଗ୍ରେସ ଲୋକଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ବିନା ଶାନ୍ତିରେ ବସିବ ନାହିଁ । ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ହେଉଛି କଂଗ୍ରେସର କାମ । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ବିକାଶ ଉପରେ ଫୋକସ କରନ୍ତି ।” ଶାହଙ୍କ ଏହି ରାଲିରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ଅନ୍ୟ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଠାକୁର କହିଛନ୍ତି ଯେ, “ରାଜ୍ୟରେ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ଆମ ପାଇଁ କୌଣସି ସ୍ବପ୍ନଠୁ କମ ନୁହେଁ । ଏହା କେବଳ ଡବଲ-ଇଞ୍ଜିନ ସରକାର ପାଇଁ ସମ୍ଭବ ।”

ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୨ ତାରିଖରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ମତଦାନ ହେବାକୁ ଥିବାବେଳେ ଡିସେମ୍ବର ୮ ତାରିଖରେ ଫଳ ଘୋଷଣା କରାଯିବ। ଏନେଇ ଗତକାଲି ନିର୍ବାଚନ କମିଶନ ଘୋଷଣା କରିବା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।

Related Posts