
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ କଂଗ୍ରେସରେ ଏବେ କ୍ୟାପଟେନ୍ ଅମରିନ୍ଦର ସିଂ ଏବଂ ନବଜୋତ୍ ସିଂ ଙ୍କ ମଧ୍ୟରେ ରାଜନୈତିକ ବିବାଦ ବଢିବାରେ ଲାଗିଛି। ଦଳୀୟ କନ୍ଦଳ ସମାଧାନ କରିବା ପାଇଁ ଏଆଇସିସି ପକ୍ଷରୁ ଗଠନ କରାଯାଇଥିବା କମିଟିକୁ କ୍ୟାପଟେନ୍ ଭେଟିଛନ୍ତି। ସେ କମିଟିକୁ କହିଛନ୍ତି ଯେ ନବଜୋତ ସିଂ ସିଦ୍ଧୁଙ୍କୁ ଉପମୁଖ୍ୟମନ୍ତ୍ରୀ କିମ୍ବା ପିସିସି ସଭାପତି କରାଯାଇପାରିବ ନାହିଁ । ଏବଂ ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସ ଫାୟାରିଙ୍ଗ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଗାମୀ ବିଧାନସଭା ନିର୍ବାଚନରେ କେପଟେନ୍ ଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା ପାଇଁ ସେ ପ୍ରସ୍ତୁତି ଚଳାଇଥିବା ବେଳେ ସିଦ୍ଧୁଙ୍କୁ ଡେପୁଟି ସିଏମ୍ କିମ୍ବା ପିସିସି ସଭାପତି କରିବା ନେତୃତ୍ୱ ସମୀକରଣକୁ ବିଗାଡି ପାରେ ବୋଲି ସେ କମିଟିକୁ ଜଣାଇଛନ୍ତି । ତେବେ ସିଦ୍ଧୁଙ୍କୁ କ୍ୟାବିନେଟରେ ସାମିଲ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜି ଥିବା ଜଣାପଡିଛି। କିନ୍ତୁ ସେ ସ୍ପଷ୍ଟ କରିଦେଇଛନ୍ତି ଯେ ସିଦ୍ଧୁଙ୍କୁ ପିସିସି ସଭାପତି କରାଯାଇପାରିବ ନାହିଁ। କାରଣ ଦଳରେ ଆହୁରି ଅନେକ ବରିଷ୍ଠ ନେତା ଅଛନ୍ତି ଯେଉଁମାନେ ଏହି ପଦ ପାଇଁ ଦାବିଦାର। ତେବେ ଉଭୟ ସିଏମ୍ ଏବଂ ପିସିସି ସଭାପତି ପଦ ଜାଠ୍ ଶିଖ୍ ଙ୍କୁ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ସିଂ କମିଟିକୁ ସୂଚାଇ ଦେଇଛନ୍ତି ଯେ ସିଦ୍ଧୁ କ୍ୟାପଟେନ୍ ସରକାରଙ୍କ ବିରୋଧରେ ବୟାନ ଦେଇ ସେ ବିଦ୍ରୋହ ସୃଷ୍ଟି କରିଛନ୍ତି । ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ହାଇକମାଣ୍ଡ ଏହି କଥାକୁ ବିଚାର କରୁଛନ୍ତି ଯେ କ୍ୟାପଟେନ୍ ହେଉଛନ୍ତି ସେହି ନେତା ଯାହାଙ୍କ ନେତୃତ୍ୱରେ ଦଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳକୁ ଜିତାଇଛନ୍ତି। ତେବେ କମିଟି ଆଗରେ ହାଜର ହୋଇଥିବା ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ସିଦ୍ଧୁଙ୍କୁ ଉଭୟ ଡେପୁଟି ସିଏମ୍ କିମ୍ବା ପିସିସି ସଭାପତି କରିବା ସମର୍ଥନରେ ନାହାନ୍ତି। ତେବେ ସିଦ୍ଧୁଙ୍କୁ ଯେକୌଣସି ଗୋଟିଏ ପଦ ଦେବାକୁ ହାଇକମାଣ୍ଡ ଇଚ୍ଛୁକ ଥିବା ଜଣାପଡିଛି। ଅପରପକ୍ଷରେ ସିଦ୍ଧ ଆମ୍ ଆଦମୀ ପାର୍ଟିକୁ ଚାଲି ଯିବାର ଭୟ ମଧ୍ୟ ରହିଛି। ତେବେ ପଞ୍ଜାବରେ କଂଗ୍ରେସରେ ଥାଇ ମଧ୍ୟ ବିରୋଧୀ ଦଳ ଭଳି କାର୍ଯ୍ୟ କରୁଥିବା ସିଦ୍ଧୁ ଏବଂ ପ୍ରତାପ ସିଂ ବାଜୱାଙ୍କ ଭଳି ନେତାଙ୍କୁ ତାଗିଦ୍ କରିବାକୁ ସେ ହାଇକମାଣ୍ଡଙ୍କୁ କହିଥିବା ଜଣାପଡିଛି। ଅପରପକ୍ଷରେ ୨୦୧୫ ଫାୟାରିଙ୍ଗ୍ ମାମଲାରେ ଦଳ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ୟାପଟେନ୍ ଏଆଇସିସି ଦ୍ବାରା ଗଠିତ କମିଟିକୁ ଆଶ୍ବସନା ଦେଇଛନ୍ତି। ଏସଆଇଟି ଯାଞ୍ଚ୍ ବନ୍ଦ କରିବା ପାଇଁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ଉପରେ ସେ ବିଚାର କରୁଛନ୍ତି ବୋଲି କମିଟିକୁ କହିଛନ୍ତି । ତେବେ ଏହି ଘଟଣାରେ ଖୁବ୍ ଶୀଘ୍ର ନିଷ୍ପତି ନେବାକୁ ଦଳର ବହୁ ନେତା କମିଟିକୁ ପ୍ରସ୍ତାବ ଦେଇଛନ୍ତି।