ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ଆଜି ମିଳିବାକୁ ଯାଉଛି ନୂଆ ଅଧ୍ୟକ୍ଷ। ତେବେ ଦୀର୍ଘ ୨୪ ବର୍ଷ ପରେ ଦଳକୁ ଗାନ୍ଧି ପରିବାର ବାହାରୁ ଅଧ୍ୟକ୍ଷ ମିଳିବାକୁ ଯାଉଛି । ଅଧ୍ୟକ୍ଷ ନିର୍ବାଚନର ଭୋଟ୍ ଗଣତି ଆଜି ହେବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବାଲଟ୍ ବକ୍ସଗୁଡ଼ିକ ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ଆଜି ପହଞ୍ଚିବା ପରେ ତାହାକୁ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଛି । ଭୋଟ୍ ଗ୍ରହଣ ପାଇଁ ପୂରା ଦେଶରେ ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥ୍ ହୋଇଥିଲା। ବର୍ତ୍ତମାନ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରାରେ ଆନ୍ଧ୍ର ପ୍ରଦେଶରେ ଥିବା ବେଳେ ତାଙ୍କ ସହିତ ଦଳର ଅନେକ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଛନ୍ତି।
ଆଜି ଗଣତି ଏବଂ ଫଳାଫଳ ଘୋଷଣା ସମୟରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ୧୩୭ ବର୍ଷର ପୁରୁଣା ଦଳ କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦଳର ୯୫୦୦ ଜଣ ପ୍ରତିନିଧି ଏଥିପାଇଁ ଭୋଟ ଦେଇଛନ୍ତି। ଭୋଟ ପ୍ରତିଶତ ୯୬ ପ୍ରତିଶତ ଥିବା ବେଳେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଥିଲା।
ନୂଆଦିଲ୍ଲୀସ୍ଥିତି ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ପି ଚିଦମ୍ବରମଙ୍କ ସମେତ ୮୭ ଜଣ ଭୋଟ ଦେଇଥିଲେ। ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଖଡ଼୍ଗେଙ୍କୁ ଗାନ୍ଧି ପରିବାରର ଅଘୋଷିତ ପ୍ରତିନିଧି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଥରୁର୍ ନିଜକୁ ଦଳରେ ପରିବର୍ତ୍ତନ ଆଣିବା ଲାଗି ନିର୍ବାଚନ ଲଢ଼ୁଛନ୍ତି ବୋଲି ଦାବି କରିଆସୁଛନ୍ତି।
