ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ: ମଧ୍ୟପ୍ରଦେଶ ମନ୍ତ୍ରୀ ଉଷା ଠାକୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସର୍ବସାଧାରଣରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଦାବି କରିଛନ୍ତି ମଧ୍ୟପ୍ରଦେଶର ମନ୍ତ୍ରୀ ଉଷା ଠାକୁର। ଏପରି ଦଣ୍ଡ ଅନ୍ୟମାନଙ୍କ ପାଇଁ ପ୍ରତିରକ୍ଷା ରୂପେ କାର୍ଯ୍ୟ କରିବ ଓ ଦୁଷ୍କର୍ମ ପରି ଅପରାଧ କରିବାକୁ ଆଉ କେହି ସାହସ କରିବେ ନାହିଁ। ଗତ ସପ୍ତାହରେ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଜଣେ ଚାରି ବର୍ଷର ବାଳିକାର ଦୁଷ୍କର୍ମ ଅଭିଯୋଗ ସମ୍ପର୍କରେ ପଚରାଯାଇଥିବା ବେଳେ ଏହାକୁ ନେଇ ଠାକୁର ଏହି ବିବୃତ୍ତି ଦେଇଛନ୍ତି।

ମଧ୍ୟପ୍ରଦେଶର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଥିବା ଉଷା ଠାକୁର ଗଣମାଧ୍ୟମକୁ କହିଛନ୍ତି ଯେ, ଦେଶରେ ପ୍ରଥମ ଥର ପାଇଁ ଏଭଳି ଅପରାଧୀଙ୍କ ମୃତ୍ୟୁଦଣ୍ଡ ପାଇଁ ଶିବରାଜ ସରକାର ବ୍ୟବସ୍ଥା କରିଛନ୍ତି। ଏହି ଦୁଷ୍କର୍ମ ମାମଲା ବନ୍ଦ ହେଉନାହିଁ, ତେଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଛି ଯେ ଖୋଲାଖୋଲି ଭାବେ ଜଣେ କିମ୍ବା ଦୁଇଜଣ ଦୁଷ୍କର୍ମକାରୀଙ୍କୁ କୌଣସି ଏକ ଛକରେ ସର୍ବସାଧାରଣରେ ଫାଶୀ ଦିଆଯାଉ। ଯଦି ଅପରାଧ ବାରମ୍ବାର ଘଟୁଛି, ତେବେ ଏହା ଗଣତନ୍ତ୍ର, ଗଣମାଧ୍ୟମ ଏବଂ ସମସ୍ତ ନାଗରିକଙ୍କ ପାଇଁ ଓ ସମାଜ ପାଇଁ ଏକ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

ଠାକୁର ଆହୁରି କହିଛନ୍ତି ଯେ, ଯଦି ଖଣ୍ଡୱାରେ ହୋଇଥିବା ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଦୁଇଜଣ ଅପରାଧୀଙ୍କୁ ଖଣ୍ଡୱା ସହରର ଏକ ଛକଠାରେ ସର୍ବସାଧାରଣରେ ଫାଶୀ ଦିଆଯାଏ, ତେବେ ଆଗକୁ କୌଣସି ବ୍ୟକ୍ତି ଅନ୍ୟ କେଉଁ ଝିଅକୁ ଛୁଇଁବା ପୂର୍ବରୁ ହଜାରେ ଥର ଚିନ୍ତା କରିବେ।

ସୂଚନା ଅନୁସାରେ, ଉକ୍ତ ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣକୁ ଜିଲ୍ଲାରେ ପୃଥକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। ତେବେ ଗଣମାଧ୍ୟମ ଆଗରେ ତାଙ୍କ ମତକୁ ସମର୍ଥନ କରିବାକୁ ମନ୍ତ୍ରୀ ଉଷା ଠାକୁର ମଧ୍ୟ ନିବେଦନ କରିଛନ୍ତି ଓ ଭବିଷ୍ୟତରେ ଅନ୍ୟମାନଙ୍କୁ ଏପରି ଅପରାଧରେ ଲିପ୍ତ ନହେବା ପାଇଁ ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣ ସ୍ଥାନରେ ଫାଶୀ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Related Posts