ଅଷ୍ଟ୍ରେଲିଆ ରାସ୍ତାରେ କୁମ୍ଭୀର, ଭୟଙ୍କର ବନ୍ୟାରେ ଲୋକେ ଅସ୍ତବ୍ୟସ୍ତ

ଅଷ୍ଟ୍ରେଲିଆରେ ବିରଳ ବନ୍ୟା ବିଭୀଷିକା । ଦେଶର ଉତ୍ତର-ପୂର୍ବାଞ୍ଚଳ ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ହୋଇଛି । ସୃଷ୍ଟି ହୋଇଛି ନାହିଁ ନ ଥିବା ସ୍ଥିତି । ସ୍ଥିତି ଏମିତି ହୋଇଛି ଯେ ରାସ୍ତାରେ ଦେଖିବାକୁ ମିଳିଛି କୁମ୍ଭୀର ଭଳି ସରୀସୃପଙ୍କୁ ।

ଅଷ୍ଟ୍ରେଲିଆରେ ମୌସୁମୀ ଋତୁରେ ପ୍ରବଳ ବର୍ଷା ତ ହୁଏ, କିନ୍ତୁ ଏମିତି ବନ୍ୟା ସ୍ଥିତି କ୍ବଚିତ ଦେଖାଯାଏ । ଏଥର ଦେଶର ଉତ୍ତର ପୂର୍ବାଞ୍ଚଳରେ ବନ୍ୟା ଏମିତି କରାଳ ରୂପ ଧାରଣ କରିଛି ଯେ ଘର, ସ୍କୁଲ୍, କଲେଜ ଓ ବିମାନ ବନ୍ଦର ସବୁ ଜଳାର୍ଣ୍ଣବ ହୋଇ ଉଠିଛି । ପାଣି ଘେରରେ ଅଛନ୍ତି ହଜାର ହଜାର ଲୋକ ।

ଲକ୍ଷାଧିକ ଘର ପାଣିରେ ବୁଡ଼ିଯାଇଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ମୁତୟନ କରାଯାଇଛି । ଅନେକ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି । ପ୍ରଳୟଙ୍କରୀ ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଉତ୍ତର-ପୂର୍ବ ରାଜ୍ୟ କୁଇନ୍ସଲ୍ୟାଣ୍ଡ । ଏଥର ସ୍ବାଭାବିକ ପରିମାଣଠାରୁ ଅଧିକ ବର୍ଷା ହୋଇଛି ।

ବନ୍ୟା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୁଇନ୍ସଲ୍ୟାଣ୍ଡ୍‌ର ଟାଉନ୍ସଭିଲ୍ଲେ ସହରରେ ଦେଖାଦେଇଛି ନାହିଁ ନ ଥିବା ଦୃଶ୍ୟ । ପାଣିରେ ବୁଡ଼ିଯାଇଛି ଯାନବାହନ । ଅଣ୍ଟାଏ ଉଚ୍ଚ ବନ୍ୟା ପାଣି ସହରକୁ କବଳିତ କରି ରଖିଛି ।

ବନ୍ୟା ପାଣି ସହ କୁମ୍ଭୀର ଭଳି ସରୀସୃପ ଲୋକଙ୍କର ସ୍ଥିତି ଆହୁରି ସଂଗୀନ କରିଦେଇଛନ୍ତି । ଆଗକୁ ଆହୁରି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ତେଣୁ ସତର୍କତା ଅବଲମ୍ବନ ପାଇଁ ଲୋକଙ୍କୁ କହିଛି ପ୍ରଶାସନ । ୧୦ରୁ ଅଧିକ ନଦୀରେ ଜଳସ୍ତର ଏବେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

Related Posts