‘ମହାକାଳଙ୍କ ସରକାର’; କ୍ୟାବିନେଟ୍ ବୈଠକରେ ନିଜ ଆସନରେ ଶିବଙ୍କ ଫୋଟୋ ରଖିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ମଧ୍ୟପ୍ରଦେଶ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବୈଠକରେ ମୁଖ୍ୟ ଆସନରେ ରହିଥିଲା ‘ମହାକାଳ’ ଅର୍ଥାତ୍ ଶିବଙ୍କ ଫଟୋ। କ୍ୟାବିନେଟ୍ ବୈଠକରେ ସବୁବେଳେ ମୁଖ୍ୟ ଆସନ ମୁଖ୍ୟମନ୍ତ୍ରୀଙ୍କର ହୋଇଥାଏ ମାତ୍ର ଆଜିର ଏହି ବୈଠକରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ଆସନରେ ‘ମହାକାଳ’ଙ୍କ ଫୋଟୋ ରଖିଥିଲେ। ଏନେଇ ସେ କହିଛନ୍ତି ଯେ, ଏହା ହେଉଛି ମହାକାଳ ମହାରାଜଙ୍କ ସରକାର। ଏଠାରେ ସେ ହିଁ ରାଜା ଅଟନ୍ତି, ତାଙ୍କର ସମସ୍ତ ସେବକ ଆଜି ଏକ ସଭା ପାଇଁ ଆସିଛନ୍ତି।

ସୂଚନା ଅନୁସାରେ, ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍ ବୈଠକରେ ଉଜ୍ଜୟିନୀ ମହାକାଳେଶ୍ଵର ମନ୍ଦିର ପରିସର ସମ୍ପ୍ରସାରିତ ହେବନେଇ ମୋହର ବାଜିଛି। ଏହାପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଆମେ କଳ୍ପନା କରିଥିଲୁ ଯେ ମହାକାଳ ମହାରାଜଙ୍କ ପରିସର ସମ୍ପ୍ରସାରିତ ହେବ। ଏଥିପାଇଁ ଆମେ ଅନେକ ଲୋକଙ୍କୁ ବିସ୍ଥାପିତ କରିଛୁ, ସେମାନଙ୍କର କୌଣସି ଅସୁବିଧା ନହେବ ସେଥିପାଇଁ ୧୫୦ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି। ଆମେ ଅନେକ ବିକାଶମୂଳକ କାର୍ଯ୍ୟ କରିଛୁ। ଆମେ ରୁଦ୍ରସାଗରକୁ ପୁନବ୍ୟବହାରଯୋଗ୍ୟ କରିଛୁ, ଯେଉଁଥିରେ କିସପ୍ରା ନଦୀର ଜଳ ରହିବ। ମନ୍ଦିରରେ ଆଲୋକ ଓ ଧ୍ୱନି ସହିତ ମହାକାଳ ପଥ ନିର୍ମାଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଅନେକ କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ଆଜି ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟ ବୈଠକ ଉଜ୍ଜୟିନୀଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମହାକାଳେଶ୍ଵର ମନ୍ଦିର ପରିସର ସମ୍ପ୍ରସାରଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୧୧ ରେ ଉଜ୍ଜୟିନୀରେ ୭୫୦ କୋଟି ଟଙ୍କା ମହାକାଳେଶ୍ୱର ମନ୍ଦିର କରିଡର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବେ। ୯୦୦ ମିଟର କରିଡରରେ ଶିବ, ଶକ୍ତି ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ସହ ଜଡିତ ପ୍ରାୟ ୨୦୦ ପ୍ରତିମୂର୍ତ୍ତି ଓ ମୂର୍ତ୍ତି ରହିବ।

Related Posts