
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ ପଟେଲ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁଜୁରାଟ କଂଗ୍ରେସର କାର୍ୟ୍ୟରତ ସଭାପତି ହାର୍ଦ୍ଦିକ ପଟେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଉଛନ୍ତି ବୋଲି ପଟେଲ ଟ୍ୱିଟରରେ ସୂଚନା ଦେଇଛନ୍ତି। ସେପଟେ ରାଜ୍ୟସଭା ନିର୍ବାଚନର କିଛି ମାସ ପୂର୍ବରୁ ହାର୍ଦ୍ଦିକ ପଟେଲଙ୍କ ଇସ୍ତଫା ନିଶ୍ଚିତ ଭାବେ କଂଗ୍ରେସ ପାଇଁ ଏକ ବଡ ଝକଟକା। ଗୁଜୁରାଟର ଦଳର ବରିଷ୍ଠ ନେତାମାନେ ତାଙ୍କୁ ଅଲଗା କରି ଅଣଦେଖା କରୁଥିବା ନେଇ ସେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ଗୁଜୁରାଟର ପାଟିଦାର ଆନ୍ଦୋଳନ ଆନ୍ଦୋଳନର ପୋଷ୍ଟର ବାଳକ ହାର୍ଦ୍ଦିକ ପଟେଲ ତାଙ୍କୁ ଦିଆଯାଉଥିବା ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ।
ଅନ୍ୟପଟେ ନିକଟ ଅତୀତରେ ହାର୍ଦ୍ଦିକ ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ଅସନ୍ତୋଷର ମଧ୍ୟରେ ସେ ତାଙ୍କ ଟ୍ୱିଟର ବାୟୋରୁ ଦଳର ନାମ ହଟାଇ ଦେଇଛନ୍ତି । ସୂଚନାନୁସାରେ, ପଟେଲ ଏପ୍ରିଲ ମାସରେ ଅହମ୍ମଦାବାଦ ଗସ୍ତ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ୨୦୧୫ ରେ ପଟେଲ ତାଙ୍କ ସମ୍ପ୍ରଦାୟ ପାଇଁ କୋଟା ଆନ୍ଦୋଳନର ଶୀର୍ଷରେ ରହିଥିଲେ । ଏହି ଆନ୍ଦୋଳନ ହିଁ ତାଙ୍କୁ ସେହି ସମୟରେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ବିରୁଦ୍ଧରେ ଦୃଢ଼ କରିଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।