
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ହିଜାବ ପ୍ରସଙ୍ଗ ବର୍ତ୍ତମାନ ସାରା ଦେଶର ବଡ଼ ମୁଦ୍ଦା ହେବାରେ ଲାଗିଛି । ଏନେଇ ଦେଶର କୋଣ ଅନୂକୋଣରୁ ବିରୋଧ ପ୍ରଦର୍ଶନ କରାଯାଉଥିବାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ଉତ୍ତରପ୍ରଦେଶର ଅଲିଗଡରୁ ଆରମ୍ଭ କରି ମହାରାଷ୍ଟ୍ରର ମାଲେଗାଁଓ ପର୍ୟ୍ୟନ୍ତ ଏବେ ମୁସଲିମ୍ ମହିଳାମାନେ ହିଜାବକୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ବୁର୍ଖା ପିନ୍ଧି ସେମାନେ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ତେବେ ଶୁକ୍ରବାର ୟୁପିର ଅଲିଗଡରେ ଶତାଧିକ ମୁସଲିମ୍ ମହିଳା ବୁର୍ଖା ପିନ୍ଧି ହିଜାବକୁ ସମର୍ଥନ ଜଣାଇଛନ୍ତି ଏବଂ କହିଛନ୍ତି ହିଜାବ ତାଙ୍କର ଅଧିକାର ତେଣୁ ସେ ଏହାକୁ କେବେ ବି କାଢିବେ ନାହିଁ ।
ଏହାପୂର୍ବରୁ ଗୁରୁବାର ମହାରାଷ୍ଟ୍ରର ମାଲେଗାଁଓରେ ହଜାର ହଜାର ମୁସଲିମ୍ ମହିଳା ଏକାଠି ହେବା ସହିତ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ‘ହିଜାବ ଆମର ଅଧିକାର, ହିଜାବ ଉପରେ ପ୍ରତିବନ୍ଧ ଫେରାଇନିଅ’ ବୋଲି ସେମାନେ ନାରାବାଜି କରିଥିଲେ । ତେବେ ମିଳିଥିବା ସୂଚନା ମୁତାବକ ପ୍ରଦର୍ଶନ କରୁଥିବା ମହିଳାମାନେ ହିଜାବ ଡେ’ ମଧ୍ୟ ପାଳନ କରିବେ ବୋଲି ଜଣାପଡିଛି ।