ଜନସଂଖ୍ୟା ବିସ୍ଫୋରଣର ଭୂତ କେତେ ବଡ ? ନେତା, ବ୍ୟୁରୋକ୍ରାଟ, ସମାଜସେବୀ ସମସ୍ତେ ଏବେ ଗୁଣିଆ

ରଙ୍ଗା ଚରଣ ପ୍ରଧାନ
ମୁଖପାତ୍ର, ଆପ୍ (ଓଡିଶା )

ସତରେ କଣ ଭାରତରେ ଜନସଂଖ୍ୟାର ବିସ୍ଫୋରଣ ହେଉଛି ? ଆଉ ଏହାକୁ ରୋକିବା ପାଇଁ ଚାଇନା ଭଳି ଶକ୍ତ ପଦକ୍ଷେପ ନିଆଯିବା ଉଚିତ୍ କି ?

ଏହାର ଉତ୍ତର ହେଲା ଏକ ବଡ଼ ‘ନା’ । ବହୁତ ଲୋକ ଆଗ ନିଜ ମତ ତିଆରି କରନ୍ତି ଓ ପରେ ସେହି ମତ ସପକ୍ଷରେ ତର୍କ ଖୋଜନ୍ତି । ସେମାନେ ଯାହା ବିଶ୍ବାସ କରିବାକୁ ଭଲ ପାଆନ୍ତି ତାହା ହିଁ ବିଶ୍ଵାସ କରନ୍ତି, ତାହା ସତ ହେଉ କି ମିଛ ହେଉ ।

ପ୍ରକୃତ ଡାଟା କହୁଛି ଭାରତର ଜନସଂଖ୍ୟା ସିନା ବଢୁଛି, କିନ୍ତୁ ଏହି ବଢିବାର ବେଗ ଦ୍ରୁତ ଗତିରେ କମୁଛି । ମୁଁ ଯଦି ଏଠାରେ ଆଉ ଗୋଟିଏ କଥା କହିବି ତାହେଲେ ଆପଣଙ୍କ ମଧ୍ୟରୁ ଅନେକ ହୁଏତ ଆଉ ଆଗକୁ ପଢ଼ିବେ ନାହିଁ ଓ କହିବେ ମୁଁ କେବଳ ଗୁଲି କରୁଛି । ସେ କଥାଟା ହେଲା, ଭାରତର ଜନସଂଖ୍ୟା ବୃଦ୍ଧିର ବେଗ ଏମିତି କମୁଛି ଯେ ଖୁବଶିଘ୍ର ଭାରତର ଜନସଂଖ୍ୟା କମିବାକୁ ଆରମ୍ଭ କରିବ ।

ବିଶ୍ବାସ ହେଉନି ନା ? ସହଜରେ ବିଶ୍ବାସ ନ କରିବା ଏକ ସ୍ବାଭାବିକ କଥା । କାରଣ ମୋ କଥାରେ କୈାଣସି ସନସନି ନାହିଁ କି ବିସ୍ଫୋରଣ ନାହିଁ । ତେବେ ଡାଟା କ’ଣ କହୁଛି ? ଏ ବିଷୟରେ ପ୍ରକୃତ ସଠିକ୍ ତଥ୍ୟ ମିଳିବ ଜନଗଣନା ପରେ । କିନ୍ତୁ ତା ପୂର୍ବରୁ ଆଉ ଗୋଟିଏ ରିପୋର୍ଟ ଅଛି ଯାହା ଆଜି ପର୍ଯ୍ୟନ୍ତ ଜନଗଣନା ଡାଟା ସହ ତାଳ ଦେଇ ଆସିଛି । ଏହି ରିପୋର୍ଟକୁ କୁହାଯାଏ ଏସ୍.ଆର୍.ଏସ୍.ଏସ୍ ( Sample Registration System Statistical: SRSS) ରିପୋର୍ଟ । ଏହି ରିପୋର୍ଟରେ ମୋଟ ପ୍ରଜନନ ଦର ବା ଟିଏଫଆର୍ (Total Fertility Rate) ପ୍ରକାଶ ପାଇଥାଏ ।‌ ଏହି ରିପୋର୍ଟ ଅନୁଯାୟୀ ୨୦୧୮ ମସିହାରେ ଭାରତର ଟିଏଫଆର୍ ଥିଲା ୨.୨୨୨ ।

ଏହି ଟିଏଫଆର୍ ମାନେ କ’ଣ ?

ଏହାର ମାନେ ହେଉଛି ୨୦୧୮ ମସିହାରେ ଭାରତର ଜଣେ ହାରାହାରି ପ୍ରଜନନକ୍ଷମ ମହିଳା ୨.୨୨୨ ଜଣ ସନ୍ତାନ ଜନ୍ମ କରୁଥିଲେ । ଏହାକୁ ଆହୁରି ସରଳ ଭାଷାରେ କହିବାକୁ ଗଲେ ୧୦୦୦ ଜଣ ପ୍ରଜନନକ୍ଷମ ମହିଳା ୨୨୨୨ ଜଣ ଶିଶୁଙ୍କୁ ଜନ୍ମ ଦେଉଥିଲେ । ଏଠାରେ ୧୫ରୁ ୪୯ ବର୍ଷ ବୟସର ମହିଳାଙ୍କୁ ପ୍ରଜନନକ୍ଷମ ମହିଳା ଭାବେ ହିସାବକୁ ନିଆଯାଇଛି ।

ଏକଥା ମନେ କରାଯାଏ ଯେ ଯେତେବେଳେ ଟିଏଫଆର୍ ୨.୧ ରହିବ ସେତେବେଳେ ଜନସଂଖ୍ୟା ଆଉ ବଢିବ ନାହିଁ କି କମିବ ନାହିଁ । ଆଉ ଯେହେତୁ ଭାରତରେ ଟିଏଫଆର କ୍ରମାଗତ ଭାବରେ କମିବାରେ ଲାଗିଛି ତେଣୁ ଆମେ କହି ପାରିବା ଯେ ସେ ସମୟ ଆଉ ବେଶୀ ଦୂର ନାହିଁ ଯେତେବେଳେ ଭାରତର ଜନସଂଖ୍ୟା ଆଉ ବଢିବ ନାହିଁ , ବରଂ କମିବାକୁ ଆରମ୍ଭ କରିବ । ୨୦୧୯-୨୦ରେ ହୋଇଥିବା ହେଲ୍ଥ ଏଣ୍ଡ ଓ୍ବେଲଫେୟାର ନାମକ ଅନ୍ୟ ଏକ ରିପୋର୍ଟରୁ ଜଣାଯାଇଛି ଯେ ୨୦୨୧ ବେଳକୁ ଭାରତର ଟିଏଫଆର୍ ୧.୯୩ ହେବ ଏବଂ ୨୦୨୬-୩୦ ମଧ୍ୟରେ ଏହା ୧.୮ ରେ ପହଞ୍ଚି ଯିବ । ଅର୍ଥାତ୍ ଯେତିକି ଟିଏଫଆର (୨.୧) ହେଲେ ଜନସଂଖ୍ୟା ଆଉ ବଢିବ ନାହିଁ କି କମିବ ନାହିଁ , ତାଠାରୁ ମଧ୍ୟ କମିଯିବ । ସେଥିପାଇଁ ମୁଁ ଆଗରୁ ଲେଖିଥିଲି ଯେ ଏଣିକି ଜନସଂଖ୍ୟା କମିବାକୁ ଆରମ୍ଭ କରିପାରେ । ଏହା ବିଶ୍ବାସ କରିବା ହୁଏତ ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ କଷ୍ଟକର ହୋଇପାରେ, କିନ୍ତୁ ସର୍ଭେ ରିପୋର୍ଟ ଏହା ହିଁ କହୁଛି ।

ଏଠାରେ ଲକ୍ଷ କରାଯାଉ ଯେ ଭାରତର ଏ ସଫଳତା ପାଇଁ କୈାଣସି ବଳପ୍ରୟୋଗର ରାସ୍ତା ଗ୍ରହଣ କରା ଯାଇ ନାହିଁ । ୧୯୬୦ ମସିହାରେ ଭାରତର ଟିଏଫଆର୍ ୫.୯୦୬ ଥିଲା ବା ସେତେବେଳେ ୧୦୦୦ ଜଣ ପ୍ରଜନନକ୍ଷମ ମହିଳା ୫୯୦୬ ଜଣ ଶିଶୁଙ୍କୁ ଜନ୍ମ ଦେଉଥିଲେ । ୧୯୯୦ ବେଳକୁ ତାହା ଖସି ଆସି ୪.୦୪୫ରେ ପହଞ୍ଚିଲା ଓ ୨୦୧୮ ବେଳକୁ ତାହା ୨.୨୨୨ରେ ପହଞ୍ଚିଲା । ଚାଇନା ଭଳି ଜୋରଜବରଦସ୍ତ କୈାଣସି ପଦକ୍ଷେପ ନ ନେଇ ଓ ସେଥିପାଇଁ କୈାଣସି ଆଇନ୍ ତିଆରି ନ କରି ମଧ୍ୟ ଭାରତ ଜନସଂଖ୍ୟା ଯେତିକି କମାଇବା ଆବଶ୍ୟକ ଥିଲା ସେତିକି କମାଇ ପାରିଛି । ତେଣୁ ଏଣିକି ଯଦି କୌଣସି ଟିଭି ଚ୍ୟାନେଲରେ କେହି କୁହେ କିମ୍ବା କୌଣସି ଖବରକାଗଜରେ କେହି ଲେଖେ କିମ୍ବା କୌଣସି ନେତା ଭାଷଣ ଦେଇ କୁହନ୍ତି ଯେ ଭାରତର ଜନସଂଖ୍ୟା ବିସ୍ଫୋରଣ ହେବାକୁ ଯାଉଛି, ସେତେବେଳେ ଆପଣ ଟିକେ ହସିବେ ନିଶ୍ଚୟ ।

ତେଣୁ ପ୍ରଶ୍ନ ଉଠୁଛି ଏପରି କେମିତି ସମ୍ଭବ ହେଲା ? ଏହାର ପ୍ରମୁଖ କାରଣ ଗୁଡିକ ମଧ୍ୟରୁ କେତେକ ଆଲୋଚନା କରାଯାଇପାରେ ।

୧. ଭାରତରେ ଅଧିକରୁ ଅଧିକ ମହିଳା ଶିକ୍ଷିତ ଏବଂ ରୋଜଗାରକ୍ଷମ ହେଉଛନ୍ତି । ଏହା ଦ୍ବାରା ଗର୍ଭନିରୋଧ ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ସେମାନେ ଜାଣୁଛନ୍ତି । ଯୌନକ୍ରୀୟାରେ ସେମାନଙ୍କ ହଁ କିମ୍ବା ନା ର ଗୁରୁତ୍ଵ ବଢ଼ିଛି । ଲୋକମାନେ ଅଧିକ ଶିକ୍ଷିତ ଓ ସଚେତନ ହେବା ଫଳରେ ଆଗ ଅପେକ୍ଷା ବହୁତ କମ୍ ଦମ୍ପତି ପୁତ୍ର ସନ୍ତାନ ଅପେକ୍ଷାରେ ଅଧିକ ଜନ୍ମ କରୁ ନାହାନ୍ତି । ଏହି କାରଣରୁ ୨୦୧୮ ମସିହାରେ ଭାରତର ସହରାଞ୍ଚଳରେ ଟିଏଫଆର୍ ୧.୭ ଥିବା ବେଳେ ଗ୍ରାମାଞ୍ଚଳରେ ୨.୪ ଥିଲା । ୧୯୮୧ ମସିହାରେ ଭାରତରେ ୧୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କା ମହିଳାଙ୍କ ମଧ୍ୟରେ ସ୍ବାକ୍ଷରତା ହାର ୨୫.୬୮% ଥିବା ବେଳେ ୨୦୧୮ ବେଳକୁ ଏହା ୬୫.୭୯%ରେ ପହଞ୍ଚିଛି ।

୨. ଦ୍ବିତୀୟ କାରଣ ହେଲା ଭାରତର ଶିଶୁମୃତ୍ୟୁ ହାର କମିଛି । ଆଗ କାଳରେ ବିଭିନ୍ନ ରୋଗ, ପୁଷ୍ଟିସାର ଅଭାବ ଓ ଜନ୍ମ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅନେକ ଶିଶୁ ଜନ୍ମ ହେବାର ୫ ବର୍ଷ ମଧ୍ୟରେ ମରି ଯାଉଥିଲେ । ସେଥିପାଇଁ ଅନେକ ଦମ୍ପତି ଅଧିକ ସନ୍ତାନ ସନ୍ତତି ଜନ୍ମ କରୁଥିଲେ । କିନ୍ତୁ ଦେଖା ଯାଇଛି ଯେ ଭାରତର ଶିଶୁ ମୃତ୍ୟୁ ହାର କମିବା ସହ ଟିଏଫଆର ମଧ୍ୟ କମିଛି । ୧୯୬୦ରେ ଶିଶୁମୃତ୍ୟୁ ହାର ୧୬୧ ଥିଲା । ଅର୍ଥାତ୍ ୧୦୦୦ ଜଣ ଶିଶୁ ଜନ୍ମ ନେଲେ ସେମାନଙ୍କ ମଧ୍ୟରୁ ୧୬୧ ଜଣ ମରିଯାଉଥିଲେ । ୨୦୧୯ ବେଳକୁ ଏହି ଶିଶୁ ମୃତ୍ୟୁ ହାର ୨୮.୩କୁ ଖସିଛି ।

ଏଠାରେ ଆଉ ଏକ କଥାକୁ ଆସନ୍ତୁ । କିଛି ଲୋକ କୁହନ୍ତି ଯେ ଜନସଂଖ୍ୟା ବିସ୍ଫୋରଣ ରୋକିବା ପାଇଁ ଚାଇନା ଭଳି ଭାରତ ମଧ୍ୟ କଡା ଆଇନ୍ ଓ କଡା ପଦକ୍ଷେପ ନେବା ଉଚିତ୍ । ଆମେ ଆଗରୁ ଜାଣିଲୁ ଯେ ଭାରତରେ ଜନସଂଖ୍ୟା ବିସ୍ଫୋରଣ ଭଳି ସେମିତି କିଛି ହେଉନାହିଁ କି ହେବାର ନାହିଁ । ଏବେ ଚାଲନ୍ତୁ ଜାଣିବା ଚାଇନାର ଜନସଂଖ୍ୟା କମିବାରେ ସେ ଦେଶର କଡ଼ା ପଦକ୍ଷେପ ଓ ଆଇନ୍ କେତେ ଦୁର ସହାୟକ ହୋଇଛି ।

୧୯୭୯ ମସିହାରେ ଚାଇନା କଡ଼ା ଆଇନ୍ ଲାଗୁ କଲା ଯଦ୍ବାରା ଗୋଟିଏ ଦମ୍ପତି କେବଳ ଗୋଟିଏ ଶିଶୁ ଜନ୍ମ ଦେଇ ପାରିବେ । ଏହି ଆଇନ ଲାଗୁ ବେଳକୁ ଚାଇନାର ଟିଏଫଆର ୨.୭୪୫ ଥିଲା । ଏହା ପୂର୍ବରୁ ୧୯୬୫ ବେଳକୁ ଏହା ୬.୩୮୫ ଥିଲା । ଅର୍ଥାତ୍ କଡ଼ା ଆଇନ୍ ଲାଗୁ ହେବା ପୂର୍ବରୁ ମଧ୍ୟ ୧୯୬୫ରୁ ୧୯୭୯ ମଧ୍ୟରେ ଚାଇନାର ଟିଏଫଆର ଦ୍ରୁତ ବେଗରେ କମିଥିଲା । ଏହା ସେହି ସବୁ କାରଣରୁ ସମ୍ଭବ ହୋଇଥିଲା, ଯେଉଁ କାରଣ ଯୋଗୁଁ ପରବର୍ତ୍ତୀ ସମୟରେ ଭାରତ ତାହାର ଟିଏଫଆର କମାଇବାରେ ସଫଳ ହୋଇଥିଲା – ସହରାଂଚଳ ବଢିବା, ନାରୀ ଶିକ୍ଷା ବଢିବା ଏବଂ ରୋଜଗାର କ୍ଷେତ୍ରରେ ଅଧିକରୁ ଅଧିକ ମହିଳା ପ୍ରବେଶ କରିବା, ଶିଶୁ ମୃତ୍ୟୁ ହାର କମିବା ଇତ୍ୟାଦି ।

ବରଂ ଏହାର ଏକ କ୍ଷତିକାରକ ପ୍ରଭାବ ଦେଖା ଦେଲା । ଗୋଟିଏ ଶିଶୁ ନୀତି ଯୋଗୁଁ ଚାଇନାରେ ଅଧିକରୁ ଅଧିକ ଦମ୍ପତି କେବଳ ପୁତ୍ର ସନ୍ତାନ ଚାହିଁଲେ । କନ୍ୟାର ଗର୍ଭପାତ ଏକ ସାଧାରଣ ଘଟଣା ହୋଇଗଲା । ୧୯୮୨ ମସିହାରେ ଚାଇନାରେ ୧୦୦ ଟି କନ୍ୟା ଜନ୍ମ ନେଉଥିବା ବେଳେ ୧୦୮.୫ ଜଣ ପୁତ୍ର ଜନ୍ମଲାଭ କରୁଥିଲେ । କିନ୍ତୁ କଡ଼ା ଆଇନ୍ ଲାଗୁ ହେବା ପରେ ଦେଖାଗଲା ଯେ ୨୦୦୫ ମସିହାରେ ୧୦୦ଟି କନ୍ୟାରେ ୧୧୮.୬ ଜଣ ପୁଅ ଜନ୍ମ ନେଉଛନ୍ତି । ଅର୍ଥାତ୍ ଝିଅ ଅପେକ୍ଷା ପ୍ରାୟ ୨୦% ଅଧିକ ପୁଅ ଜନ୍ମ ନେଉଛନ୍ତି । ସେ ପରିସ୍ଥିତିରେ ବିବାହ କରିବା ପାଇଁ ପୁଅ ମାନଙ୍କୁ ଝିଅ ମିଳିବାରେ ଭୟଙ୍କର ଅସୁବିଧା ଦେଖା ଦେଲା । ଅବଶ୍ୟ ବର୍ତ୍ତମାନ ଏହା ୧୧୧.୯କୁ ଖସି ଆସିଛି ।

ଏସ୍.ଆର୍.ଏସ୍.ଏସ୍ ରିପୋର୍ଟ ଅନୁଯାୟୀ ୨୦୧୮ ବେଳକୁ ଭାରତରେ ୧୦୦୦ ଜଣ ପୁଅରେ ୮୯୯ ଜଣ ଝିଅ ଜନ୍ମ ନେଇଛନ୍ତି । ଏହାକୁ ଅନ୍ୟ ପ୍ରକାରେ ହିସାବ କଲେ ୧୦୦ ଜଣ ଝିଅରେ ୧୧୧ ଜଣ ପୁଅ ଜନ୍ମ ନେଇଛନ୍ତି । ଚିନ୍ତା କରନ୍ତୁ, ଏପରି ସମୟରେ ଯଦି ସରକାର ତଥାକଥିତ ଜନସଂଖ୍ୟା ବିସ୍ଫୋରଣ ରୋକିବା ପାଇଁ କୈାଣସି କଡ଼ା ଆଇନ୍ ଲାଗୁ କରନ୍ତି ତାହେଲେ ଲିଙ୍ଗଗତ ଭାରସାମ୍ୟ ଉପରେ ତାହାର କି ଭୟଙ୍କର ପ୍ରଭାବ ପଡ଼ିବ ।

ତେବେ ଏତେସବୁ କଥା କହିବାର ଅର୍ଥ ନୁହେଁ ଯେ ଭାରତର ଲୋକସଂଖ୍ୟା ଏବେ ଉଦବେଗଜନକ ନୁହେଁ କି ଏହା ଦ୍ବାରା ସମସ୍ତଙ୍କୁ ରୋଜଗାର ଯୋଗାଇବାରେ ଅସୁବିଧା ହେଉନାହିଁ କି ଏହା ଦ୍ବାରା ବିକାଶର ଫଳ ସମସ୍ତଙ୍କ ପାଖରେ ପହଞ୍ଚିବାରେ ଅସୁବିଧା ହେଉନାହିଁ କି ଏହା ଦ୍ବାରା ସାମାଜିକ ଅଶାନ୍ତି ସୃଷ୍ଟି ହେଉନାହିଁ । ମୁଁ ସ୍ବୀକାର କରୁଛି ଯେ ଭାରତର ବୃହତ ଜନସଂଖ୍ୟା ଏସବୁ ସମସ୍ୟା ଠିଆ କରୁଛି ।

ତେବେ ଏହି ଘଟଣାକୁ ଅନ୍ୟ ପ୍ରକାରେ ମଧ୍ୟ ଦେଖାଯିବା ଉଚିତ୍ । ଆମେ ନିଜକୁ ପ୍ରଶ୍ନ ପଚାରିବା, ବିଶେଷକରି ଯେତେବେଳେ ଆମେ ସନ୍ତୋଷଜନକ ଟିଏଫଆର ହାସଲ କରି ସାରିଛୁ, ଯେ ପ୍ରକୃତରେ ଆମ ଜନସଂଖ୍ୟା ଦ୍ରୃତ ଗତିରେ ବଢିଗଲା ନା ସମସ୍ତଙ୍କୁ ଶିକ୍ଷା ଓ ରୋଜଗାର ଯୋଗାଇବା କ୍ଷେତ୍ରରେ ଆମେ ପଛେଇ ଯାଇ ଜନସଂଖ୍ୟା ବୃଦ୍ଧିକୁ ଦୋଷ ଦେଉଛୁ ? ଅଧିକ ଜନସଂଖ୍ୟା ଅର୍ଥ ହେଉଛି ଅଧିକ ଉତ୍ପାଦନ ପାଇଁ ଅଧିକ ଶ୍ରମିକ ଓ କୃଷକ ମିଳିବା ।

ଏତେ ସବୁ ଲେଖିବା ପରେ ତଥାପି ଅନେକ ପାଠକ ହୁଏତ ଏ କଥାରେ ସହମତ ହୋଇନଥିବେ । ଅବଶ୍ୟ ଏଥିରେ କିଛି ଅସ୍ବାଭାବିକତା ନାହିଁ । କାରଣ ଦିନେ ଭାରତର ଅନେକ ଲୋକ ବିଶ୍ୱାସ କରିଥିଲେ ଯେ ନୋଟବନ୍ଦୀ ଦ୍ବାରା କଳାଧନ ଧରାପଡିବ, ଆତଙ୍କବାଦ କମିବ ; ଘଣ୍ଟା ଓ ଥାଳି ପିଟିବା ଦ୍ଵାରା କରୋନା ଭାଇରସର ଚେନ୍ ଭାଙ୍ଗିବ । ସେମାନଙ୍କୁ ଜନସଂଖ୍ୟା ବିସ୍ଫୋରଣ ଭୁତ ଡରାଇ ଚାଲିଥିବ ଏବଂ ସେମାନେ କଡ଼ା ଆଇନ୍ ଦ୍ବାରା ଏହି ଭୁତ ଛଡ଼ାଇବା ପାଇଁ ଗୁଣିଆ ଅପେକ୍ଷାରେ ରହିବେ ।

Related Posts